ଭୁବନେଶ୍ୱର: ବ୍ରିଟେନରେ କାୟା ମେଲାଇ ଚାଲିଛି କରୋନା । ଓମିକ୍ରନ୍ ସଂକ୍ରମିତ ବଢୁଛନ୍ତି । ସେଠାରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ସରକାର ପ୍ରସ୍ତୁତ ରହିଛନ୍ତି ।
ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି । ସତର୍କତା ବଢାଯାଇଛି । ଓମିକ୍ରନ ଚିହ୍ନଟ ପାଇଁ ଜିନୋମ ସିକ୍ୱେନ୍ସିଂ ଆବଶ୍ୟକ । ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଆଟ୍ ରିସ୍କ କଣ୍ଟ୍ରିରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯାହା ତଥ୍ୟ ଅଛି ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ । ଦ୍ଵିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି । ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ପାଇଁ ସରକାରଙ୍କର କ୍ଷମତା ରହିଛି ।
ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ୍, ଜରୁରୀ ଔଷଧ ମହଜୁଦ ରଖାଯାଉଛି । ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ୍ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।
Comments are closed.