Latest Odisha News

BREAKING NEWS

କରୋନା ସଙ୍କଟ: ଦେଶରେ ୧୫ ଦିନରେ ଚିହ୍ନଟ ହେଲେଣି ୭୦ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର । ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି । ଏଠାକାର ସଂକ୍ରମିତଙ୍କ ସଂଖ୍ୟାକୁ ହିସାବକୁ ନେଲେ ମୋଟ ସଂକ୍ରମିତଙ୍କ ୧୧ ପ୍ରତିଶତ ଗତ ଦୁଇଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସାରା ଦେଶରେ ୭୦ ହଜାରରୁ ଅଧିକ କୋଭିଡ-୧୯ ରୋଗୀ ଗତ ୧୫ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଶହେ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୬୮ ହଜାରକୁ ବୃଦ୍ଧି ପାଇଥିଲା ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

ସେହିପରି ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମଣ ହାର ଦୁଇଗୁଣା ହେବାକୁ ୧୨ ଦିନ ଲାଗିଥିବାବେଳେ ଦିଲ୍ଲୀକୁ ୧୪ ଦିନ ଓ ବିହାରକୁ ମାତ୍ର ୭ ଦିନ ଲାଗିଥିଲା । ବିହାରରେ ସଂକ୍ରମଣ ହାର ୧୦.୬୭ ପ୍ରତିଶତ ରହିଛି । ଯାହାକି ଦେଶରେ ସର୍ବାଧିକ । ମାତ୍ର ବର୍ତ୍ତମାନ ଏହିସବୁ ସ୍ଥାନମାନଙ୍କରେ ସଂକ୍ରମଣ ହାର ଦ୍ବିଗୁଣ ହେବାକୁ ୧୮ଦିନ ସମୟ ଲାଗୁଛି । ରବିବାର ଭାରତ ଇରାନକୁ ହଟାଇ କରୋନା ହଟ ସ୍ପଟ୍ ଭାବେ ବିଶ୍ୱର ୧୦ ନମ୍ୱର ସ୍ଥାନରେ ରହିଥିଲା । ଯଦି ସଂକ୍ରମଣ ହାର ଏମଭଳିଭାବେ ବୃଦ୍ଧି ପାଏ ତାହେଲେ ଆସନ୍ତା ଦୁଇଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଯିବାର ସମ୍ଭାବନା ରହିଛି ।

ସେହିଭଳି କରୋନାଜନିତ ମୃତ୍ୟୁସଂଖ୍ୟା ବି ଗତ ୧୫ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି ବୋଲି କହୁଛି ସର୍ଭେ । ଗତ ଦୁଇଦିନ ମଧ୍ୟରେ ଏହି ହାର ଆହୁରି ୮ ପ୍ରତିଶତ ବୃଦ୍ଧି ପାଇଛି । ଯଦି ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଏ, ତାହେଲେ ଦେଶର ମୃତ୍ୟୁସଂଖ୍ୟାର ୮୨ ପ୍ରତିଶତ ଏହି ରାଜ୍ୟମାନଙ୍କର ବୋଲି ଜଣାପଡ଼ିଛି । ଅନ୍ୟପଟେ ଅନେକ ବିଶେଷଜ୍ଞଙ୍କ ଆକଳନ କହୁଛି ଭାରତରେ କରୋନା ସଂକ୍ରମଣ ଆଗକୁ ସର୍ବାଧିକସ୍ତରକୁ ଯିବ । ଯାହାକି ନିଶ୍ଚିତରୂପେ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି ।

Comments are closed.