ଉତ୍ତରାଖଣ୍ଡ: ଆପଣ କେବେ ଚଳପ୍ରଚଳ ଲାଇବ୍ରେରୀ ଦେଖିଛନ୍ତି କି? ତାହା ପୁଣି ଘୋଡ଼ା ଲାଇବ୍ରେରୀ । ଆପଣ ଏବେ ଭାବୁଥିବେ ଲାଇବ୍ରେରୀ ତ ଲାଇବ୍ରେରୀ ପୁଣି ଘୋଡ଼ା ଲାଇବ୍ରେରୀ କ’ଣ ? ଆଜ୍ଞା ହଁ, ଉତ୍ତରାଖଣ୍ଡର କିଛି ଯୁବକ ଏକତ୍ର ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ଡ଼ିଜିଟାଲ ଦୁନିଆରେ ଏବେ ଏହି ନିଆରା ଏବଂ ସ୍ୱତନ୍ତ୍ର ଲାଇବ୍ରେରୀ ଉତ୍ତରପ୍ରଦେଶର ନୈନିତାଲରେ ଖୁବ୍ ଚର୍ଚ୍ଚାକୁ ଆସିଛି ।
ସାଧାରଣତଃ ଲାଇବ୍ରେରୀ କହିଲେ, ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାରର ବହି ଥିବ । ହେଲେ ଆମେ ଯେଉଁ ଲାଇବ୍ରେରୀ କଥା କହୁଛୁ,ତାର କୌଣସି ବିଲଡିଂ ନାହିଁ । ଏହି ଲାଇବ୍ରେରୀ ଯେ କୌଣସି ସ୍ଥାନକୁ ଯାଇପାରେ । ବାସ୍ତବରେ ଏହି ମୋବାଇଲ୍ ଲାଇବ୍ରେରୀ ଘୋଡା ପିଠିରେ ଅଛି । ଘୋଡା ଉପରେ ବହି ଲୋଡ୍ କରି ପିଲାମାନଙ୍କୁ ପୁସ୍ତକ ବିତରଣ କରାଯାଉଛି । ଏହି ଲାଇବ୍ରେରୀ ବହୁତ ଭଲ କାମ କରୁଛି । ଏହି ଚଳପ୍ରଚଳ ଲାଇବ୍ରେରୀ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ଅଛି ।
ସାଧାରଣତଃ ପିଲାମାନେ ଛୁଟିଦିନରେ ବିଦ୍ୟାଳୟଠାରୁ ଦୂରରେ ରୁହନ୍ତି, କିନ୍ତୁ ବହି ପିଲାମାନଙ୍କଠାରୁ ଦୂରରେ ନୁହେଁ । ଏହି ଲାଇବ୍ରେରୀରେ ଶିଶୁ ସାହିତ୍ୟ ପୁସ୍ତକଠାରୁ ଆରମ୍ଭ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ ବହି, ଉପନ୍ୟାସ, ପ୍ରବନ୍ଧ ଆଦି ରହିଛି । ଖାସ୍କରି ଛୋଟ ପିଲାମାନେ ଏହି ଘୋଡା ଲାଇବ୍ରେରୀ ଦେଖି ବେଶୀ ଖୁସି ହେଉଛନ୍ତି । ସାଙ୍କଲପ ୟୁଥ୍ ଫାଉଣ୍ଡେସନର ସଭାପତି ଶୁଭମ୍ ବାଦାନୀ ନାମକ ଜଣେ ଯୁବକଙ୍କ ଦ୍ୱାରା ଏହି ଲାଇବ୍ରେରୀ ଆରମ୍ଭ କରାଯାଇଛି । ଛୁଟିଦିନ କଟାଇବାକୁ ନୈନିତାଲ ଆସୁଥିବା ପିଲାଙ୍କ ପାଇଁ ଏହା ବେଶ୍ ଆଦୃତ ହୋଇପାରିଛି । ଏବେ ଏହା ପିଲାମାନଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ଭାବେ କାମ କରୁଛି । କେବଳ ସେତିକି ନୁହେଁ, ଏହି ଲାଇବ୍ରେରୀ ପର୍ବତ ଉପରେ ବାସ କରୁଥିବା ଗରିବ ପିଲାମାନଙ୍କ ଘରେ ବହି ବଣ୍ଟନ କରୁଛି । ଏବେ ଏହା ଘୋଡ଼ା ଲାଇବ୍ରେରୀ ଭାବେ ବେଶ୍ ପରିଚିତ ।
ଶୁଭମ୍ ବାଦାନୀ କହିଛନ୍ତି ଯେ, ସ୍ଥାନୀୟ କିଛି ଯୁବକଙ୍କ ସାହାଯ୍ୟରେ ଘୋଡା ଲାଇବ୍ରେରୀ ଆରମ୍ଭ ହୋଇଛି । ଏହାଦ୍ୱାରା ପାହାଡ ଉପରେ ରହୁଥିବା ପିଲାମାନେ ନିୟମିତ ଆକର୍ଷଣୀୟ କାହାଣୀ ଏବଂ କବିତା ପଡିିବାର ସୁଯୋଗ ପାଇପାରିବେ । ସବୁଠ ବଡ଼ କଥା, ସ୍ଥାନୀୟ କିଛି ଲୋକ ତାଙ୍କ ଘୋଡ଼ାକୁ ସପ୍ତାହକୁ ଗୋଟିଏ ଦିନ ଏହି ଲାଇବ୍ରେରୀ ପାଇଁ ଦେଇଥାନ୍ତି । ଯୁବକମାନେ ସେହି ଘୋଡ଼ାର ପିଠିରେ ବିଭିନ୍ନ ବହି ଲଦି ଏ ଗାଁରୁ ସେ ଗାଁକୁ ଧରି ବୁଲନ୍ତି । ଗୋଟେ ସ୍ଥାନରେ ଘୋଡ଼ା ଅଟକିଲେ , ଛୋଟପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମେସ୍ତ ଆସି ଘଣ୍ଟା ଘଣ୍ଟା ଧରି ବହି ପଢିଥାନ୍ତି । ଏହାଦ୍ୱାରା ପିଲାମାନେ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଯୁବକମାନଙ୍କର ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି ।
Comments are closed.