Latest Odisha News

BREAKING NEWS

କ୍ରିକେଟ୍ ରୁ ଟ୍ରାଜେଡି: ମ୍ୟାଚ ପରେ ଯବାନଙ୍କ ଉପରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: କ୍ରିକେଟ ମ୍ୟାଚରେ ବିଜୟୀ ହେଇ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ସମସ୍ତେ ହତବାକ। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭାରତୀୟ ସେନାର ଯବାନ ଦିଲେଶ୍ୱରଙ୍କ ମୃତ୍ୟୁ ଘଟିଛି।

ଡିସେମ୍ବର ୩ ତାରିଖରେ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦିଲେଶ୍ୱର ପଶ୍ଚିମବଙ୍ଗର ଦୁର୍ଗାପୁରରେ କାର୍ଯ୍ୟରତ ଜଣେ ସେନା ଯବାନ ଥିଲେ ଏବଂ ଛୁଟି କଟାଇବା ପାଇଁ ନିଜ ଘରକୁ ଆସିଥିଲେ।

ଗୋପାଳପୁରରେ ଏକ କ୍ରିକେଟ୍ ମ୍ୟାଚରେ ଯୋଗ ଦେଇ ଦିଲେଶ୍ୱର ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରି ଅଚେତ କରିଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ କିନ୍ତୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦିଲେଶ୍ୱରଙ୍କ ପରିବାର ସଦସ୍ୟ ଗୋବିନ୍ଦ ପାତ୍ର ଘଟଣା ସମ୍ପର୍କରେ କହନ୍ତି, ସେ ସନ୍ଧ୍ୟାରେ ଆମକୁ ଫୋନ୍ କରି ଜଣାଇଥିଲେ ଯେ କ୍ରିକେଟ୍ ମ୍ୟାଚରେ ସେମାନଙ୍କ ଦଳ ବିଜୟୀ ହୋଇଛି। ସେ ଘରକୁ ଫେରୁଥିବା ବେଳେ ଏକ ଗୋଷ୍ଠୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆମେ ତାଙ୍କୁ ଅନେକ ଥର ଫୋନ୍ କରିଥିଲୁ, କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ। ଆମେ ଚିନ୍ତାରେ ପଡ଼ି ଯାଇ ତାଙ୍କୁ ଖୋଜିଲୁ। ପରେ ଦିଲେଶ୍ୱର ଗୁରୁତର ଆହତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ପାଇଥିଲୁ। ଆମେ ତାଙ୍କୁ ଏମକେସିଜି ହସ୍ପିଟାଲକୁ ନେଇଥିଲୁ, କିନ୍ତୁ ଅବସ୍ଥା ଅଧିକ ଖରାପ ହେବାରୁ ଆମେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲୁ। ଦୁର୍ଭାଗ୍ୟବଶତଃ ସେ ପ୍ରାଣ ହରାଇଛନ୍ତି।

ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି, ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆମେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛୁ ଏବଂ ଏହି ମାମଲାରେ ଚାରି ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେବା ସହ ଏହି ବର୍ବରକାଣ୍ଡ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.