Latest Odisha News

BREAKING NEWS

‘କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ଅସୁସ୍ଥ ବୋଲି ଚିତ୍ରିତ କରିବାକୁ ପ୍ରୟାସ କରୁନି’

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳ ଦାସଙ୍କୁ କେବେ ବି କ୍ରାଇମବ୍ରାଞ୍ଚ ମାନସିକ ଅସୁସ୍ଥ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିନାହିଁ।
ଗୁରୁବାର ଓଡ଼ିଶା ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି।

ଝାରସୁଗୁଡ଼ାରେ ଗୁଳିମାଡ଼ ପରେ ନବ ଦାସଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ କାହିଁକି ଅଣାଗଲା ବୋଲି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅଣାଯାଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରୁଛି। ପ୍ରତ୍ୟକ୍ଷଦର୍ଶୀ, ନବ ଦାସଙ୍କ ପରିବାର ସଦସ୍ୟ, ପଡ଼ୋଶୀ ଏବଂ ସହକର୍ମୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କିନ୍ତୁ ବିରୋଧୀଙ୍କୁ ଏହା ଜଣାନାହିଁ ବୋଲି ସେ କହିଛନ୍ତି।

କ୍ରାଇମବ୍ରାଞ୍ଚ ତଦନ୍ତକୁ ସମର୍ଥନ କରି ତୁଷାରକାନ୍ତି ବେହେରା ଆହୁରି କହିଛନ୍ତି, ଗୋପାଳ ଦାସଙ୍କ ମାନସିକ ସ୍ଥିତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜଣାପଡ଼ିଥିଲା। ତେଣୁ ସେମାନେ ତାଙ୍କ ମାନସିକ ସ୍ଥିତି ସମ୍ପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରି ଯାଞ୍ଚ କରିଥିଲେ। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡିଂ ବେଳେ ଗୋପାଳ ଦାସ ନିଜେ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି। ତେବେ ମନ୍ତ୍ରୀଙ୍କ ଏଭଳି ବୟାନରେ ବିରୋଧୀ ସନ୍ତୁଷ୍ଟ ନ ହୋଇ ଗୃହରେ ହଟ୍ଟଗୋଳ କରିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ଏହି ହତ୍ୟାକାଣ୍ଡ ଘଟଣାରେ ତଦନ୍ତକାରୀ ଟିମ୍ ଏକ ପ୍ରେସ ରିଲିଜ ଜାରି କରି ଅଭିଯୁକ୍ତ ମାନସିକ ଅସୁସ୍ଥ ବୋଲି କହିସାରିଛି। ଏହି ମାମଲାରେ ନିମାହାନ୍ସକୁ ନେଇ ଚିକିତ୍ସା କରିବାକୁ କ୍ରାଇମବ୍ରାଞ୍ଚ ଟିନ୍ ଝାରସୁଗୁଡା ଜେଏମଏଫସି କୋର୍ଟରେ ଅନୁମତି ମାଗିଥିଲା। ହେଲେ ଏହା ଖାରଜ ହେବା ପରେ ଏହି ରାୟକୁ ଜିଲ୍ଲା ଦୌରାଜଜ କୋର୍ଟରେ ତଦନ୍ତକାରୀ ଟିମ୍ ଚ୍ଯାଲେଞ୍ଜ କରି ନିମହାନ୍ସକୁ ନେବା ପାଇଁ ଯୁକ୍ତି ରଖିଛି। ଫେବୃଆରୀ 27ରେ ଏହାର ଶୁଣାଣି ରହିଛି। ସେପଟେ ବିରୋଧୀ କହିଛନ୍ତି, ଏଯାବତ ପାଗଳ ବୋଲି ବିଭିନ୍ନ ପରୀକ୍ଷା ପରେ ବି ତଦନ୍ତକାରୀ ପ୍ରମାଣ କରିପାରିନି। ଏବେ ନିମହାନ୍ସ ନେଇ ଅଭିଯୁକ୍ତକୁ ପାଗଳ କହି ଖସାଇ ଦେବାକୁ ପ୍ରୟାସ ହେଉଛି।

 

Comments are closed.