ଝାରସୁଗୁଡା: ପୂ୍ର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ଆଜି ଗୋପାଳଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ ବ୍ରଜ ରାଜରାଜନଗର ଯାଇଛି । ସେଠାରେ ଗୋପାଳ ଦାସଙ୍କୁ ତାଙ୍କ ସରକାରୀ ବାସଭବନକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା କରିଛି ।
ମିଳିଥିବା ସୂଚନା ଅନୁସାରେ, ଜେରାବେଳେ ଅଭିଯୁକ୍ତ ଗୋପାଳ କୁଆଡେ ନବ ଦାସଙ୍କ କାହିଁକି ମାରିଛି ସେ ବିଷୟରେ କହିଛି । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି କରିଥିଲା ଏବଂ ସେଥିରୁ ୨୫ ଖଣ୍ଡ କାଗଜ ପାଇଥିଲା । ଏହି କାଗଜକୁ ଏକାଠି କରି କ୍ରାଇମବ୍ରାଞ୍ଚ ଖୋଜୁଛି ପ୍ରକୃତ ରହସ୍ୟ ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ଗୋପାଳ କୁଆଡେ କ୍ରାଇମବ୍ରାଞ୍ଚ ଆଗରେ ସତ ଉଗାଳିଛି । ନବ ଦାସଙ୍କୁ କାହିଁକି ମାରିଲା ସେ ବିଷୟରେ କ୍ରାଇମବ୍ରାଞ୍ଚକୁ କହିଛି । ଏକଥା ବି କୁଆଡେ କହିଛି ଯେ, ନବ ଦାସଙ୍କୁ ଗୁଳି କରିବା ପରେ ପୋଲିସ କାଳେ ତାଙ୍କୁ ଏନକାଉଣ୍ଟର କରିଦେବ,ତେଣୁ ସେ ସବୁ ସତ କଥା କାଗଜରେ ଲେଖି ପକେଟରେ ରଖିଥିଲେ ଏବଂ ଏହାକୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରେ ପକାଇ ଦେଇଥିବା ଦେଇଥିଲେ । ତେବେ ଏହି ତଥ୍ୟ କେତେଦୂର ସତ ? ଯଦି ସତ ଜଣାଇବା ପାଇଁ ଗୋପାଳ ଦାସ କାଗଜରେ ସବୁକିଛି ଲେଖି ରଖିଥିଲେ ତେବେ କାଗଜକୁ ପାଇଖାନା ଟାଙ୍କରେ ପକାଇଲେ କାହିଁକି ? ପକାଇବା ପୂର୍ବରୁ ତ ଜାଣିଥିବେ ପାଇବା ବେଳକୁ ଏହା ନଷ୍ଟ ହୋଇ ଯାଇଥିବ ।
ଯଦି ମନ୍ତ୍ରୀଙ୍କୁ ମାରିବା ପୂର୍ବରୁ ପରିଣତି କ’ଣ ଜାଣିଥିଲେ ତେବେ ତା ପୂର୍ବରୁ ବାସ ଭବନରେ କିଛି ତଥ୍ୟ ଲୁଚାଇ ରଖିଥିଲେ କି ଗୋପାଳ ? ଆଉ ଜେରା ବେଳେ ଏ ବିଷୟରେ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଛନ୍ତି କି ? ଆଉ ସେ ସୁରାକ ପାଇବା ପରେ ଗୋପାଳଙ୍କୁ ତାଙ୍କ ଘରକୁ ଆଣି ପ୍ରମାଣ ଖୋଜୁଛି କି କ୍ରାଇମ ବ୍ରାଞ୍ଚ ?
ଅନ୍ୟପକ୍ଷେ ଏଏସଆଇ ଗୋପାଳ ଦାସଙ୍କୁ ନେଇ ସାଧାରଣ ଲୋକଙ୍କର ମନ୍ତବ୍ୟ ବି ଏହି ତଦନ୍ତକୁ ଅଧିକ ରହସ୍ୟ ଘେରକୁ ନେଇ ଯାଉଛି । ଗୋପାଳଙ୍କ ସାଙ୍ଗାସାଥୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲେକେ କୁହନ୍ତି ସେ କୁୃଆଡେ ଭଦ୍ର, ଅମାୟିକ ଲୋକ । କାହା ସହ ତାଙ୍କର ବିବାଦ ଥିବା କଥା ବି ଶୁଣିବାକୁ ମିଳୁନି । ତେଣୁ ଏପରି ଜଣେ ପାେଲିସ ଅଫିସର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କାହିଁକି ହତ୍ୟା କଲେ ?
ନବଦାସଙ୍କ ହତ୍ୟା ଘଟଣାର ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । କ୍ରାଇମବ୍ରାଞ୍ଚର ପାଇଖାନା ଟାଙ୍କି ସଫା କରି ଏବଂ ତା ଭିତରୁ କାଗଜ ଉଦ୍ଧାର କରିବା ପରେ ସତ ସାମ୍ନାକୁ ଆଣିବା ପାଇଁ କେତେ ସଫଳ ହେବ ସମୟ କହିବ । କିନ୍ତୁ ଏପରି ତଦନ୍ତ ସାଧାରଣ ଜନତାଙ୍କୁ ବାଟବଣା କରୁଛି । ହତ୍ୟା ଘଟଣାକୁ ରହସ୍ୟମୟ କରି ଦେଉଛି ।
ଅନ୍ୟପକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖି ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ କରୁଛନ୍ତି । ତାଙ୍କ ପାଖେ ସିବିଆଇର ଅଭିଜ୍ଞତା ରହିଛି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦାସ ତଦନ୍ତର ମନିଟରିଂ କରୁଛନ୍ତି । ତଦନ୍ତ ଚାଲିଥିବା ବେଳେ କିଛି ପ୍ରମାଣ ମିଳିଛି । ସମ୍ପୂର୍ଣ୍ଣ ପ୍ରମାଣ ପାଇଁ ଟିକେ ସମୟ ଲାଗିବ । ଏଭଳି ଅପରାଧରେ ସବୁ ତଥ୍ୟ ସଙ୍ଗେ ମିଳିବ ନାହିଁ ।
Comments are closed.