ପଟ୍ଟାମୁଣ୍ଡାଇ: ମାଆ ଆଖି ସାମ୍ନାରେ ପୁଅକୁ ଟାଣିନେଲା କୁମ୍ଭୀର। ବିକଳ ଆଖିର ଚାହିଁ ରହିବା ଛଡ଼ା ମାଆ ପାଖରେ ଆଉ କିଛି କରିବାର ବାଟ ନଥିଲା। ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ। ଆଜି ସକାଳେ ୧୦ ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟ ମାଆଙ୍କ ସହ ନଈରେ ଗାଧୋଉଥିବା ବେଳେ ହଠାତ୍ କୁମ୍ଭୀର ଆସି ଆଶୁତୋଷକୁ ଝାମ୍ପି ନେଇ ବୁଡ଼ିଯାଇଥିଲା।
ଏହାପରେ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଆଶୁତୋଷର ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା। ପହିଲି ରଜରେ ଏଭଳି ଅଘଟଣ ଘଟିଥିବାରୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆଶୁତୋଷଙ୍କୁ କୁମ୍ଭୀର ଟାଣି ନେବା ପରେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ସେମାନେ କେହି ଠିକ୍ ସମୟରେ ପହଞ୍ଚି ନଥିଲେ। ଏହି କଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା।
ଗ୍ରାମବାସୀ ମାନେ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ସୂଚନା ମିଳିଛି।
Comments are closed.