Latest Odisha News

BREAKING NEWS

ବର୍ଷା ଉଜାଡ଼ି ଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଭଦ୍ରକ : ବାତ୍ୟା ଚାଲିଗଲା, ହେଲେ ଦେଇଗଲା ଦୁର୍ଦ୍ଦଶା । ବର୍ଷା ଛାଡିଯାଇଛି, କିନ୍ତୁ ଚାଷୀଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି ଧାନ ଫସଲ । ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ କିଛି ଚାଷୀ ଧାନ ଅମଳ କରି ସାରିଥିଲେ । କିନ୍ତୁ ପାଣିରେ ଭାସୁଛି କ୍ଷେତରେ କଟା ହୋଇଥିବା ଧାନ ।

ସେହିପରି କଟା ହୋଇନଥିବା ଧାନ ଗଛ ଜମିରେ ଲେଉଟି ପଡିଥିବା ବେଳେ, ତାଉପରେ ପାଣି ଜମି ରହିଛି । ବର୍ଷ ଯାକର ପରିଶ୍ରମ ଏବେ ପାଣିରେ ବୁଡି ରହିଛି । କିଛି ଚାଷି ପାଣି ଭିତରୁ ସାଉଣ୍ଟୁଛନ୍ତି ଉଜୁଡି ଯାଇଥିବା ଧାନ ଫସଲ । କିଛି ଚାଷୀ ଚାଷ ଜମିରୁ ପାଣି ନିଷ୍କାସନ କରୁଥିବା ବେଳେ, ଆଉ କିଏ ଧାନ ଗଛକୁ ପାଣି ଭିତରୁ ଟେକୁଛନ୍ତି । ବର୍ଷା ଯୋଗୁଁ ଧାମନଗର, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ଏଭଳି ସ୍ଥିତିରେ ସରକାର କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି ଚାଷୀ । ଅନ୍ୟପଟେ ଚାଷ କ୍ଷୟକ୍ଷତିର ପ୍ରାଥମିକ ଆକଳନ ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

Leave A Reply

Your email address will not be published.