Latest Odisha News

BREAKING NEWS

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ସ୍ତ୍ରୀ; ତଥ୍ୟ ଲୁଚାଇବା ଅଭିଯୋଗରେ ଗଲା ଚାକିରୀ

ନୂଆଦିଲ୍ଲୀ: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ଯବାନଙ୍କ ଚାକିରୀ ଯାଇଛି । ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଶନିବାର ଦିନ ତାଙ୍କର ଜଣେ ଯବାନଙ୍କୁ ଚାକିରୀରୁ ବହିଷ୍କାର କରିଛି । ସେହି ଯବାନ ଜଣକ ପାକିସ୍ତାନୀ ମହିଳାଙ୍କ ସହ ବିବାହ କରିଥିବା କଥାକୁ “ଲୁଚାଇ” ରଖିଥିଲେ। ମୁନିର ଅହମ୍ମଦ CRPFର ୪୧ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ। ମୁନିରଙ୍କ ବିରୋଧରେ ନିଜ ବିବାହକୁ ଲୁଚାଇବା ଏବଂ ପାକିସ୍ତାନୀ ସ୍ତ୍ରୀଙ୍କ ଭିସାର ବୈଧତା ଶେଷ ହେବା ପରେ ମଧ୍ୟ ତାଙ୍କୁ ଭାରତରେ ଆଶ୍ରୟ ଦେବାର ଅଭିଯୋଗ ରହିଛି।

ସୂଚନା ଅନୁସାରେ, ମୁନିର ଅହମ୍ମଦ ଜମ୍ମୁ ଏବଂ କାଶ୍ମୀରରେ ସିଆରପିଏଫ ଭାବେ ନିୟୋଜିତ ହୋଇଥିଲେ। ସୋସିଆଲ୍ ମିଡିଆ ସାଇଟ୍‌ ମାଧ୍ୟମରେ ପାକିସ୍ତାନ ପଞ୍ଜାବ ବାସିନ୍ଦା ମିନାଲ ଖାନଙ୍କ ଅହମ୍ମଦଙ୍କର ଅନଲାଇନରେ ସମ୍ପର୍କ ଗଢ଼ି ଉଠିଥିଲା। ଅହମ୍ମଦ ୨୦୨୩ ମସିହାରେ  ମିନାଲ ଖାନଙ୍କୁ ବିବାହ କରିବା ପାଇଁ ସିଆରପିଏଫରୁ ଅନୁମତି ମାଗିଥିଲେ।  ବିଭାଗ ତାଙ୍କ ଅନୁରୋଧ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ଅହମ୍ମଦ ୨୪ ମେ, ୨୦୨୪ ରେ ଖାନଙ୍କୁ ବିବାହ କରିଥିଲେ ।  ଭାରତ ଏବଂ ପାକିସ୍ତାନର ମୌଲବୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ କରିଥିଲେ। ଏହାପରେ ଅନଲାଇନ ନିକାହ ମାଧ୍ୟମରେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା।

ସିଆରପିଏଫ ମୁଖପାତ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ (ଡିଆଇଜି) ଏମ୍ ଦିନାକରନ୍ କହିଛନ୍ତି, “ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ନାଗରିକଙ୍କ ସହ ତାଙ୍କ ବିବାହକୁ ଲୁଚାଇବା ଏବଂ ତାଙ୍କୁ ଜାଣିଶୁଣି ଆଶ୍ରୟ ଦେବା କାରଣ ପାଇଁ ବହିଷ୍କାର କରାଯାଇଛି।”

ସୂଚନାନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଥିଲା । ଏହାପରେ ଅହମଦ ଏବଂ ମିନାଲ ଖାନଙ୍କ ବିବାହ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।

ସରକାରୀ ସୂତ୍ର ଅନୁଯାୟୀ, ଅହମଦଙ୍କୁ କୌଣସି ତଦନ୍ତର ଆବଶ୍ୟକତା ନଥିବା ନିୟମ ଅନୁଯାୟୀ ଚାକିରୀରୁ ବହିଷ୍କାର କରାଯାଇଛି। ଅହମଦଙ୍କ କାର୍ଯ୍ୟ ସେବା ଆଚରଣର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଜଣାପଡିଥିଲା। ସିଆରପିଏଫ ତଦନ୍ତରୁ ଜଣାପଡିଛି ଯେ ଯବାନ ତାଙ୍କ ବିବାହ ଏବଂ ତାଙ୍କ ପତ୍ନୀଙ୍କ ଭାରତରେ ଅଧିକ ସମୟ ରହିବା ବିଷୟରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇ ନଥିଲେ।

ସିଆରପିଏଫ ଏହି ମାମଲାକୁ ବହୁତ ଗମ୍ଭୀରତାର ସହ ନେଇଥିଲା ଏବଂ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁନିରଙ୍କୁ ତୁରନ୍ତ ବହିଷ୍କାର କରିଦିଆଯାଇଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, CRPFରେ କାର୍ଯ୍ୟରତ ଯେକୌଣସି କର୍ମଚାରୀ ସଚ୍ଚୋଟତାର ସହ ସେବା ସର୍ତ୍ତାବଳୀ ପାଳନ କରିବେ ବୋଲି ଆଶା କରାଯାଏ,ବିଶେଷକରି ଯେତେବେଳେ ମାମଲାଟି ଜାତୀୟ ସୁରକ୍ଷା ସହିତ ଜଡିତ। ଅଧିକାରୀମାନେ ଏହା ମଧ୍ୟ ସୂଚିତ କରିଛନ୍ତି ଯେ, ଏପରି କ୍ଷେତ୍ରରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯାଉଛି।

Comments are closed.