ନୂଆଦିଲ୍ଲୀ: ପୁଣିଥରେ ଶହେ ଡଲାର ପାର ହୋଇଛି ଅଶୋଧିତ ତେଲ ଦର । ତୈଳଦର ଅଚାନକ ବୃଦ୍ଧି ହେବାରୁ ବିଶ୍ୱ ବଜାରରେ ନିଆଁ ଲାଗିଯାଇଛି । ବ୍ୟାରେଲ ପିଛା ଶହେ ଡଲାର ପାର ହୋଇଥିବାରୁ ଭାରତ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ଇରାନର ବନ୍ଦର ଗୁଡିକୁ ଅବରୋଧ କରିବାକୁ ଘୋଷଣା କରିଛି ।
ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ୨୦ ପ୍ରତିଶତ ତେଲ କାରବାର ହୁଏ । ଆମେରିକାର ସାମରିକ କଟକଣା ପାଇଁ ଏଠାରେ ଯୋଗାଣ ବାଧାପ୍ରାପ୍ତ ହେବାର ଭୟ ପୁଣିଥରେ ଦେଖାଦେଇଛି । ବ୍ରେଣ୍ଟ କ୍ରୁଡ ଦର ପ୍ରାୟ ୮ ପ୍ରତିଶତ ବଢିବାରୁ ବ୍ୟାରେଲ ପିଛା ୧୦୨ ଡଲାର ହୋଇଛି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଆମେରିକାକୁ ଅତି ଥଟ୍ଟା କରି ନିଜର ମତ ରଖିଛନ୍ତି । ତାଙ୍କ କହିବାନୁସାରେ ଏହି ଅବରୋଧ ପାଇଁ ଆଗକୁ ତେଲ ଦର ବଢିବ । ଆଉ ତେଲ ଦର ବଢିଲେ ଆମେରିକାର ଗ୍ରାହକମାନେ ପୁରୁଣା ଶସ୍ତା ଦରକୁ ପୁଣିଥରେ ଝୁରିବେ ।
ଅବରୋଧ ପାଇଁ ତେଲ ଦର ଅପ୍ରତ୍ୟାସିତ ଭାବେ ବଢିବ । ଭାରତ ଅଧିକାଂଶ କ୍ରୁଡ ଅଏଲ ବାହାରୁ ଆମଦାନୀ କରେ । ଯଦି ଅନ୍ତର୍ଜାତୀୟ ବଜାରରେ ଏଭଳି ଦର ବଢିଚାଲେ ତେବେ ଭାରତୀୟ ଟଙ୍କା ତୁଳନାରେ ଡଲାର ମହଙ୍ଗା ହୋଇପାରେ । ଦେଶରେ ପେଟ୍ରୋଲ-ଡିଜେଲ ଦର ବଢିବା ସହ ମୁଦ୍ରାସ୍ପିତୀ ବା ମହଙ୍ଗା ମାଡ ହେବାର ଆଶଙ୍କା ରହିଛି । ତୈଳ ଦର ବୃଦ୍ଧି ହେବା ଖବର ଆସିବା ପରଠାରୁ ଲୋକେ ଚିନ୍ତାରେ ରହିଛନ୍ତି । ଯୁଦ୍ଧ ଚାଲିଥିବାରୁ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ପୁଣି କେବେ ତୈଳଦର ହ୍ରାସ ପାଇବ ଲୋକେ ତାକୁ ଚାହିଁ ବସିଛନ୍ତି ।