ନୟାଗଡ଼: ଜିଲ୍ଲାରେ ପୁଣି ଏକ ବୀଭତ୍ସ କଲାଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ରଣପୁର ବ୍ଲକ ରାଇପଡା ଗାଁ ନିକଟସ୍ଥ ଏକ ପଥର କ୍ରସର ଖାଦାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚାନ୍ଦପୁର ଥାନା ନୂଆପଡ଼ା ଗାଁର ପ୍ରତାପ କୁମାର ପାଟ୍ଟଶାଣୀ ଓରଫ ଜଗୁ (୩୫)। ପ୍ରତାପ ଜଣେ କ୍ରସର ମାଲିକଙ୍କ ପୁଅ ବୋଲି ଜଣାପଡ଼ିଛି। ପଥର ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଗତ ଦୁଇ ଦିନ ତଳେ କେହି ଦୁର୍ବୃତ୍ତ ପ୍ରତାପଙ୍କୁ ତାଙ୍କ ଘରୁ ଡାକି ଆଣିଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ପରିବାର ପକ୍ଷରୁ ଚାନ୍ଦପୁର ଥାନାରେ ଏକ ନିଖୋଜ ଏତଲା ମଧ୍ୟ ଦାୟର କରାଯାଇଥିଲା।
“ପ୍ରତାପଙ୍କୁ ଯୋଜନାବଦ୍ଧ ଭାବେ ଘରୁ ଡାକିଆଣି ହତ୍ୟା କରାଯାଇଛି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପଥର ଖଣି ଭିତରକୁ ଫିଙ୍ଗି ଦିଆଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ।
ଆଜି ସକାଳୁ ଜଣେ ସ୍ଥାନୀୟ ବ୍ୟକ୍ତି ଶୌଚ ପାଇଁ ରାଇପଡା ଗାଁ ନିକଟରେ ଥିବା ପଥର ଖାଦାନ ଆଡ଼କୁ ଯାଇଥିବା ବେଳେ ସେଠାରେ ଏକ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ଏବାବଦରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଏହି ମୃତଦେହ ନିଖୋଜ ଥିବା ପ୍ରତାପ ପାଟ୍ଟଶାଣୀଙ୍କର ବୋଲି ଚିହ୍ନଟ କରାଯାଇଥିଲା।
ଘଟଣା ସ୍ଥଳରେ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପଥର ବ୍ୟବସାୟରେ ଶତ୍ରୁତାକୁ କେନ୍ଦ୍ର କରି ଏହି ମାରପିଟ୍ ଓ ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସନ୍ଦେହ ପ୍ରକଟ କରି ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ଵାନ ଦଳ ସହାୟତାରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।