Latest Odisha News

ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜୁନ୍ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୨୦୨୪କୁ ଏନଟିଏ ସ୍ଥଗିତ ରଖିଛି। ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ଅଭାବରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି ଏନଟିଏ କହିଛି। ଏବେ ଏହି ପରୀକ୍ଷାର ନୂଆ ତାରିଖ ପରେ ଅଫିସିଆଲ ୱେବସାଇଟରେ ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ନୂଆ ଅପଡେଟ୍ ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ଏନଟିଏ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛି।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବୁଧବାର (ଜୁନ୍ ୧୯) ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛି।

ୟୁଜିସି-ନେଟ୍ ପରୀକ୍ଷା ପ୍ରାର୍ଥୀମାନଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇବା, ସହକାରୀ ପ୍ରଫେସର ଭାବେ ନିଯୁକ୍ତି ଏବଂ ଦେଶର ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଏଚଡିରେ ନାମଲେଖା ପାଇଁ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିବା ପାଇଁ ଆୟୋଜନ କରାଯାଏ ।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କହିଥିଲେ, ୟୁଜିସି-ନେଟ୍ ବାତିଲ କରିବା ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ପ୍ରଶ୍ନପତ୍ର ଡାର୍କନେଟରେ ଲିକ୍ ହୋଇ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସେୟାର କରାଯାଉଥିବାର ପ୍ରମାଣ ମିଳିଛି, ତେଣୁ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.