Latest Odisha News

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା ସଚେତନତାମୂଳକ ଚିତ୍ର ଆଙ୍କି ତାଙ୍କୁ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡସ୍ ଏବଂ ୱାର୍ଲଡ଼ ବୁକ୍ ଅଫ ରେକର୍ଡରେ ସ୍ଥାନ ମିଳିଛି।

ଏହି ଛାତ୍ର ଜଣଙ୍କ ହେଉଛନ୍ତି ହର୍ଷିଲ ଅଗ୍ରୱାଲ । କଟକ ଷ୍ଟୁଆର୍ଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ହର୍ଷିଲ ଲକ୍ ଡାଉନରେ ଘରେ ରହି ପାଠ ପଢିବା ସହ କରୋନା ସଚେତନତା ଚିତ୍ର ଆଙ୍କିଥାନ୍ତି । ଏ ଦିଗରେ ତାଙ୍କୁ ପ୍ରୋତ୍ସାହନ ଯୋଗାନ୍ତି ବାପା ସଂଜୟ ଅଗ୍ରୱାଲ ଓ ମାଆ ରିଙ୍କି ଅଗ୍ରୱାଲ ଓ । ହର୍ଷିଲଙ୍କ ତାଙ୍କ ସଚେତନମୂଳକ ଚିତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ।

ଏବେ ତାଙ୍କ ଚିତ୍ରକଳା ପାଇଁ ତାଙ୍କୁ ଲଣ୍ଡନରୁ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡସ୍ ସହ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଏବଂ ୱାର୍ଲଡ଼ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ମିଳିଛି । କେବଳ ସେତିକି ନୁହେଁ ମାସ୍କ ବ୍ୟବହାର ନେଇ କରିଥିବା ଚିତ୍ରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବେଶ୍ ପ୍ରଶଂସା କରିଛି । ଯାହାକୁ ନେଇ କେବଳ ହର୍ଷିଲ ନୁହେଁ ତାଙ୍କ ବାପା ଓ ମାଆ ମଧ୍ୟ ବେଶ୍ ଖୁସି ।

ହର୍ଷିଲ ଟିଭିରେ କରୋନା ସମ୍ପର୍କୀତ ସଚେତନତା ବାର୍ତ୍ତା ଦେଖିବା ପରେ ତାହାକୁ ନିଜ ଚିତ୍ରରେ ସ୍ଥାନ ଦିଅନ୍ତି । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋହି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ କରୋନା ସମ୍ପର୍କୀତ ବାର୍ତ୍ତାକୁ ଥିମ୍ କରି ଚିତ୍ର ଆଙ୍କି ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ଏ ନେଇ ତାଙ୍କ ବାପା ସଂଜୟ କହିଛନ୍ତି, ‘ପିଲାଟି ବେଳରୁ ହର୍ଷିଲ ଚିତ୍ର ପ୍ରତି ଆଗ୍ରହ ଥିଲା । ଏଥିପାଇଁ ସେମାନେ ତାଙ୍କୁ ପ୍ରୋତ୍ସାହନ ବି ଯୋଗାଇ ଆସୁଥିଲେ । କିନ୍ତୁ ଲକଡାଉନ ପରେ ହର୍ଷିଲକୁ ଚିତ୍ରକଳା ପାଇଁ ଅଧିକ ସମୟ ମିଳିଥିଲା । କିନ୍ତୁ ଏହା ଯେ ତାକୁ ଏତେ ପ୍ରଶଂସାର ଅଧିକାରୀ କରାଇବ ତାହା ଆମେ ଭାବି ନ ଥିଲୁ । ’

Comments are closed.