Latest Odisha News

ରାଜ୍ୟସଭାରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ

କଟକ: ରାଜ୍ୟସଭା ପଦରୁ ଇସ୍ତଫା ଦେଲେ କଟକର ମେୟର ସୁବାସ ସିଂହ। ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସଭାରୁ ନିଜର ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦ ଏପ୍ରିଲ ୨ରେ ସେ ସାଂସଦ ଭାବେ ଦାୟିତ୍ୱ ନେଇଥିଲେ।

ନିକଟରେ ପୈାର ନିର୍ବାଚନରେ କଟକ ମହାନଗର ନିଗମରୁ ମେୟର ଭାବରେ ପ୍ରତ୍ୟକ୍ଷ ନିର୍ବାଚିତ ହେବାପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ଲିଖିତ ଭାବରେ ଆଇନଗତ ଦିଗ କ’ଣ ରହିଛି ବୋଲି ପାର୍ଲାମେଂଟର ପରାମର୍ଶ ଲୋଡିଥିଲେ । ପାର୍ଲାମେଂଟ ପକ୍ଷରୁ ତାଙ୍କୁ ଏସଂପର୍କରେ ଲିଖିତ ଭାବରେ ଜଣାଇ ଦିଆଯାଇଥିଲା ।

ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସୁବାସ ସିଂହ ସାକ୍ଷାତକରି ମେୟର ଭାବରେ ନିର୍ବାଚିତ ହୋଇଥିବା କଥା ଜଣାଇଥିଲେ ଓ ଅଧ୍ୟକ୍ଷଙ୍କର ପରାମର୍ଶ ନେଇଥିଲେ । ଶେଷରେ ଅପ୍ରେଲ୍ ୨୧ ତାରିଖ ଦିନ ଶ୍ରୀ ସୁବାସ ସିଂହ ରାଜ୍ୟସଭା ସଭ୍ୟପଦରୁ ବିଧିବଦ୍ଧ ଭାବରେ ଇସ୍ତଫା ପ୍ରଦାନ କରିଥିଲେ ।

ରାଜ୍ୟସଭାରେ ୨ବର୍ଷ ଧରି ସୁବାସ ସିଂହ ସଦସ୍ୟ ଥାଇ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରି ଚର୍ଚ୍ଚାରେ ରହିଥିଲେ। ନଦୀଜଳ ସ୍ରୋତ ହ୍ରାସ ପାଇବା ତଥା ପ୍ରାକୃତିକ ସଂପଦ, ଜଙ୍ଗଲ ସଂପଦର ଅବକ୍ଷୟକୁ ରୋକିବା ପାଇଁ ପିଟିସନ୍ କମିଟି ଜରିଆରେ ରାଜ୍ୟସଭାରେ ଉପସ୍ଥାପନା କରିଥିଲେ । ବତୀଘର ଆଇନ୍ ୨୦୨୧ ସଂଶୋଧନ ବିଲରେ ଅଂଶ ଗ୍ରହଣକରି କେନ୍ଦ୍ରାପଡା, ପାରାଦୀପ, ପୁରୀ, ଗୋପାଳପୁର ବତୀଘର ନବୀକରଣ ଏବଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ ଜଳମାର୍ଗକୁ ଉନ୍ନତ କରିବାକୁ ପ୍ରସ୍ତାବ ଦେଇଥିଲେ । ପାରାଦୀପ ବନ୍ଦର ଲାଭାଂଶକୁ ଆଂଚଳିକ ବିକାଶ, ସ୍ୱାସ୍ଥ୍ୟସେବା ଓ ଶ୍ରମିକ ମାନଙ୍କ କଲ୍ୟାଣରେ ବିନିଯୋଗ କରିବା ପ୍ରଭୃତି ପ୍ରସ୍ତାବ ରଖିଥିଲେ ।

ମନରେଗା ଶ୍ରମିକଙ୍କୁ ଅଧିକଦିନ କାର୍ଯ୍ୟ ଓ ମଜୁରୀ ବୃଦ୍ଧି, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ଲଗାତାର ଉପସ୍ଥାପନ କରିଆସୁଥିଲେ । କେନ୍ଦୁଲିପି ଶ୍ରମିକଙ୍କ ଉପରୁ ଜି.ଏସ୍.ଟି ଛାଡ, ସମ୍ବଲପୁରୀ ତନ୍ତଶିଳ୍ପ କାର୍ଯ୍ୟରେ ଲାଗୁଥିବା ସମସ୍ତ ପଦାର୍ଥ ଉପରୁ ସଂପୂର୍ଣ୍ଣ ଜି.ଏସ୍.ଟି. ଛାଡ ଦାବୀ କରିବା, କଟକ-ସମ୍ବଲପୁର ଜାତୀୟ ରାଜପଥ ଦୋହରି କରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଡ୍ରାଇଭର ମାନଙ୍କୁ ଜାତୀୟ ରାଜପଥରେ ରହଣୀ ଓ ବିଶ୍ରାମାଗାର ପ୍ରତିଷ୍ଠା ଦାବିକରି ଆସୁଥିଲେ ।

ବଳଦେବ ଜିୟୁଙ୍କୁ ଭୋଗ ଲାଗୁ ଥିବା କେନ୍ଦ୍ରାପଡା ରସାବଳୀକୁ ଜି.ଆଇ. ଟ୍ୟାଗ୍ ମିଳିବା, ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା ପ୍ରଦାନ, କଟକ ବାରବାଟି ଦୁର୍ଗର ପୁନଃଉଦ୍ଧାର, କଟକ ରେଳଷ୍ଟେସନ୍ ଉନ୍ନତି କରଣ, ନରାଜ ଠାରେ ୨ୟ ରେଳ ଷ୍ଟେସନ୍ ନିର୍ମାଣ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପସ୍ଥାପନକରି ସଂସଦରେ ବେଶ ସକ୍ରିୟ ସାଂସଦ ଭାବରେ ଅଧ୍ୟକ୍ଷଙ୍କ ଠାରୁ ବହୁବାର ପ୍ରଶଂସିତ ହୋଇଥିଲେ ।

୨୦୨୦-୨୧ ସଂସଦ ଅଧିବେଶନରେ ଶତପ୍ରତିଶତ ଯୋଗଦାନ ଓ ସଂସଦୀୟ ଜଳ ସମ୍ପଦ କମିଟିରେ ୯୯% ଯୋଗଦାନ ଦେଇ ଓଡିଶାର ମହାନଦୀ ଜଳ ବିବାଦ ସଂପର୍କରେ ବହୁବାର ପ୍ରଶ୍ନ ଉପସ୍ଥାପନ କରିଆସୁଥିଲେ । ୨ ବର୍ଷ ଧରି ମହାମାରୀ କରୋନା ସମୟରେ ମଧ୍ୟ ପାର୍ଲାମେଂଟର ପ୍ରଥମ ଶ୍ରେଣୀ ଯାତ୍ରାପାଇଁ ସମସ୍ତ ସୁବିଧା ଥାଇମଧ୍ୟ ସାଧାରଣ ଯାତ୍ରୀ ଭଳି ଯାଆସ କରୁଥିଲେ । ଦୁଇ ବର୍ଷ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମଛଡା ମାଗଣା ବିମାନ ସେବା ଥାଇମଧ୍ୟ ପରିବାର ସହିତ କୈାଣସି ଜାଗାକୁ ବୁଲିବାକୁ ଯାଇନାହାନ୍ତି ସୁବାସ ସିଂହ ।

ଦୁଇବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ ବିମାନ ଟିକେଟ ବ୍ୟବହୃତ ନ ହୋଇ ଛାଡି ଆସିଛନ୍ତି । ଦୁଇବର୍ଷ ମଧ୍ୟରେ  ସୁବାସ ସିଂହ ଓ ତାଙ୍କର ଧର୍ମପତ୍ନୀ ନିବେଦିତା ଦାସ ଏବଂ ଆଉ ଜଣେ ସହଯୋଗୀ ଟ୍ରେନରେ ପ୍ରଥମ ଶ୍ରେଣୀ ଯାତ୍ରା କରିବାର ସୁବିଧା ଥିଲେ ମଧ୍ୟ ଥରଟିଏ ମଧ୍ୟ ଏ ସୁଯୋଗ ବ୍ୟବହାର କରିନାହାନ୍ତି।

Leave A Reply

Your email address will not be published.