Latest Odisha News

BREAKING NEWS

କଫ୍ ସିରପ ମୃତ୍ୟୁ ମାମଲା; ଚାଲିଗଲା ଆଉ ଦୁଇ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାରେ କଫ ସିରପ ଜନିତ ମୃତ୍ୟୁ ସଂଖ୍ୟାରେ ୧୬କୁ ବୃଦ୍ଧି ପାଇଛି। ମଙ୍ଗଳବାର ଚିକିତ୍ସିତ ହେଉଥିବା ଦୁଇଜଣ ପିଲାଙ୍କ କିଡନୀ ଫେଲ ହୋଇଯିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର ସିଂ ଏନେଇ ସୂଚନା ପ୍ରଦାନ କରି କହିଛନ୍ତି ଯେ, “ବର୍ତ୍ତମାନ ସୁଦ୍ଧା ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଲାଣି। ଜଣେ ବାଳିକାଙ୍କ ସମେତ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି।”

ଖବର ମୁତାବକ, କୋଲ୍ଡରିଫ ନାମକ ଏକ କଫ ସିରପ ଖାଇ ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଏହି କଫ ସିରଫର ସାମ୍ପଲରୁ ଭୟଙ୍କର ବିଷାକ୍ତ ଉପାଦାନ ମିଳିଥିବା ଜଣାପଡିଛି। ପୂର୍ବରୁ, ରାଜ୍ୟ ସରକାର ସମାନ ସିରପ ଖାଇବା ପରେ ଜିଲ୍ଲାରେ ୧୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରିଥିଲେ।

ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପ୍ରକାଶିତ କରିଥିବା ରିପୋର୍ଟ ମୁତାବକ, ଜୟେଶୁ ଯଦୁବଂଶୀ ନାମକ ଜଣେ ଦୁଇ ବର୍ଷର ବାଳିକା ନାଗପୁର ସ୍ଥିତ ସରକାରୀ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଦିନକ ପୂର୍ବରୁ, ଅଢେଇ ବର୍ଷର ଧନୀ ଦେହରିଆ ମଧ୍ୟ ସମାନ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।

ମୃତ ଶିଶୁମାନଙ୍କ ପରିବାର ଲୋକମାନେ ଦେଇଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ସିରପ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଯାହା ପରେ ସେମାନଙ୍କ କିଡନୀ ଫେଲ୍ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମଧ୍ୟ ୬ ଜଣ ଶିଶୁଙ୍କର ବିଭିନ୍ନ ଡାକ୍ତରଖାନରେ ଚିକିତ୍ସା ଜାରି ରହିଛି। ତେବେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଘଟଣାରେ ରାଜ୍ୟ ସରକାର ଦୁଇଜଣ ଡ୍ରଗ ନିରିକ୍ଷକଙ୍କୁ ବହିଷ୍କର କରିବା ସହ ଜଣେ ଖାଦ୍ୟ ଏବଂ ଡ୍ରଗ ପ୍ରଶାସନ(FDA)ର ଉପନିର୍ଦ୍ଦେଶକଙ୍କୁ ବଦଳି କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ କମିଟି(SIT)ର ଗଠନ କରାଯାଇଛି।

 

Comments are closed.