Latest Odisha News

BREAKING NEWS

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ କର୍ଫ୍ୟୁ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି। ସ୍ଥିତି ଅସମ୍ଭାଳ ହେବାରୁ ପୂରା ସହରରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ କଟକଣା ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିବ। ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ୍ କଲା ପୋଲିସ ପ୍ରଶାସନ। ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ରହିବା ନେଇ ସୂଚନା ରହିଛି।

ସୂଚନା ମୁତାବକ ବିଳମ୍ବିତ ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଛି। ସୋମବାର ଦ୍ବିପ୍ରହର ସମୟରେ ସୁନହଟ ମୁଖ୍ୟ ରାସ୍ତା ପାର୍ଶ୍ବ ଡ୍ରେନ୍‌ରେ ପୁଳାପୁଳା ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ମନରେ ସନ୍ଦେହ ହେବାରୁ ସେମାନେ ନାଳକୁ ଯାଇ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଖୋଜିବା ସହ ହୋହାଲ୍ଲା କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗଣ୍ଡ‌ଗୋଳକାରୀ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ଼ କରିବା ସହ ନିଆଁ ଲଗାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫାଙ୍କା ଗୁଳିଚାଳନା କରିଛି। ପୂର୍ବାଞ୍ଚଳ ପୁଲିସ ଆଇଜି ଡ.ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲାଗୁ ହେବା ନେଇ ବାଲେଶ୍ବର ଏସପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.