Latest Odisha News

BREAKING NEWS

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ କିନ୍ତୁ ମିଳିଲାନି ଇଣ୍ଟରନେଟ ସେବା

ସମ୍ବଲପୁର:ଆଜି ବି ସମ୍ବଲପୁରରେ କୁହୁଳୁଛି ଅଶାନ୍ତି, ଅସେନ୍ତାଷର ନିଆଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଫଳରେ ସମ୍ବଲପୁରବାସୀ  ଆଜି ବି ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ରହିବେ ।   ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବ ଘୋଷଣା ଅନୁଯାୟୀ ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବାରୁ   କଟକଣା ହଟିବାର ଥିଲା । ହେଲେ  ତା’ ପୂର୍ବରୁ ଏହାର ଅବଧିକୁ ପୁଣି ବଢାଇ ଦେଇଛନ୍ତି ଜଲ୍ଲା ପ୍ରଶାସନ । ଆଜିକୁ ମିଶାଇ ଦୀର୍ଘ ୫ ଦିନ ହେବ ସହରବାସୀ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହେଲେଣି ।  ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସୂଚନାଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ପରିସ୍ଥିତି ଅଶାନ୍ତ ହୋଇଥିଲା । ପରିସ୍ଥିତିକୁ ଦେଖି ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା ।  ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲେ ହେଁ  ରବିବାର ସହରରେ ପୁଣି  ହିଂସାକାଣ୍ଡ ଘଟିଥିଲା । ତେଣୁ ପ୍ରଶାସନ ପକ୍ଷରୁ  କର୍ଫ୍ୟୁ ଜାରି କରାଗଲା । ଏବେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି ।  ତେଣୁ ଆଜି କର୍ଫ୍ୟୁକୁ ଅଧିକ  କୋହଳ କରାଯାଇଛି। ସକାଳ ବେଳା ୬ ଘଣ୍ଟା ଏବଂ ଅପରାହ୍ଣରେ ଅଢ଼େଇ ଘଣ୍ଟା ପାଇଁ କୋହଳ କରାଯାଇଛି କର୍ଫ୍ୟୁ  ।  ସକାଳ ସାଢେ ୭ଟାରୁ ଅପରାହ୍ନ ଗୋଟାଏ ଏବଂ ସନ୍ଧ୍ୟା ୩.୩୦ରୁ ୬ଟା  ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।ସେହିପରି  ପ୍ରଶାସନ ପକ୍ଷରୁ ଏପ୍ରିଲ ୧୩ ତାରିଖରୁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ।

ଇତିମଧ୍ୟରେ ବରିଷ୍ଠ ବିଜେପି ନେତୃବୃନ୍ଦ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,  ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବିଧାୟକ ନାଉରୀ ନାଏକ, ଶଙ୍କର ଓରାମ, କୁସୁମ ଟେଟେ, ବିଜେପି ରାଜ୍ୟ ମୁଖ୍ୟ ମନମୋହନ ସାମଲ, ସମୀର ମହାନ୍ତି ପ୍ରମୁଖ ସମ୍ଭଲପୁର ଆସି ଗଣ୍ଡଗୋଳରେ ଆହତ ଲୋକଙ୍କ ମାନଙ୍କୁ ଦେଖି ଯାଇଛନ୍ତି ।

ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସ ମୋଟ ୮୫ ଜଣଙ୍କୁ ଗିରଫ କରି ସାରିଲାଣି ।

 

 

 

Comments are closed.