Latest Odisha News

BREAKING NEWS

Bali Yatra 2025: ରାତି ୧୧ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ…

ବାଲିଯାତ୍ରା:ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ମହାନଦୀ ପଠା ଦୁଲୁକିବ । କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

୨ଟି ମଞ୍ଚରେ ରାତି ୧୧ଟା ଯାଏ ବାଜିପାରିବ ମାଇକ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚ ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ସୂଚନାଥାଉକି, ପୂର୍ବ ବର୍ଷ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଗତବର୍ଷ ଏହାକୁ ନେଇ କିଛି ବିବାଦ ଉପୁଜିଥିଲା। ପୋଲିସ ରାତି ୧୦ଟା ପରେ କଳାକାରଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲା।

ସେପଟେ ମହାନଦୀ ଗଡ଼ଗଡ଼ିଆ ଘାଟରେ କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ କରାଯାଇଛି । କଟକର ଐତିହାସିକ ବାଲିଯାତ୍ରା ପୂର୍ବରୁ ଏହି କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ଏହି ନୂତନ ବୋଇତର ଶୁଭାରମ୍ଭ କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ତେବେ ଶୁଭାରମ୍ଭ ପୂର୍ବରୁ ବୋଇତର ପୂଜାର୍ଚ୍ଚନା କରାଯାଇଥିଲା ।

ପ୍ରାଚୀନ କଳିଙ୍ଗର ବୋଇତ ନିର୍ମାଣ ଶୈଳୀରେ ନିର୍ମାଣ ହୋଇଛି ଏହି ବୋଇତ । ଯାହାକୁ ନିର୍ମାଣ କରିବା ପାଇଁ ଦେଢ଼ ମାସ ସମୟ ଲାଗିଥିଲା । ଏହାକୁ ୨୦ରୁ ଉର୍ଦ୍ଧ୍ବ କାରିଗର ତିଆରି କରିଛନ୍ତି।

ଐତିହାସିକ କଟକ ବାଲିଯାତ୍ରା-୨୦୨୫କୁ ଆସିବା ଲାଗି ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପ୍ରଥମେ ମା’ କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେଇଛି ପ୍ରଶାସନ । ମା’ କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାପାଳ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ଏଥର ଐତିହାସିକ ବାଲିଯାତ୍ରା ପଡିଆକୁ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ କଟକଣା ଜାରି ହୋଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି। ଏହାସହିତ ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ଉଡ଼ାଇବା ମଧ୍ୟ ମନା ହୋଇଛି। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି। ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ କଟକ ବାଲିଯାତ୍ରା ।

Comments are closed.