Latest Odisha News

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା ।

କଟକ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ହେଲେ କାର୍ଯ୍ୟାଳୟରେ ଯାଇଁ ଦେଖିଲା ବେଳକୁ ନାହାନ୍ତି ବରିଷ୍ଠ ଅଧିକାରୀ । ଫାଇଲ ଉପରେ ଫାଇଲ ପଡିଛି । ହେଲେ କାମ କରିବାକୁ କି କାର୍ଯ୍ୟ କରିବାକୁ ଅଫିସରେ ନାହାନ୍ତି ଅଧିକାରୀ । କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟର ଅବ୍ୟବସ୍ଥିତ ଢଙ୍ଗ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୋଫିଆ।

ଏନେଇ ସୋଫିଆ କହିଛନ୍ତି, କାର୍ଯ୍ୟାଳୟ ନୂଆ ଦେଖାଯାଉଛି, ହେଲେ ଫାଇଲ ସବୁ ନଷ୍ଟ ହେଇଗଲାଣି ବୋଲି । ଯାହାକୁ ନେଇ ବିଧାନସଭାରେ କଥା ରଖିବେ ବୋଲି କହିଛନ୍ତି ସୋଫିଆ । ଏହାସହିତ କଟକ ଅବକାରୀ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠିବା ପ୍ରସଙ୍ଗରେ ସୋଫିଆ କହିଛନ୍ତି, ଏନେଇ ଆମେ କମିଶନଙ୍କ ସହ କଥା ହେଉଛି । କଟକ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ସ୍ଥାନାନ୍ତରଣ ହେବ ନାହିଁ ବୋଲି କହିଛନ୍ତି ସୋଫିଆ । ଯଦି ଏହା ହୁଏ ତାହାଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସୋଫିଆ । ତେବେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

Comments are closed.