Latest Odisha News

BREAKING NEWS

କଟକ ଗଣ୍ଡଗୋଳ: ‘କିଛି ଅସାମାଜିକ ବ୍ୟକ୍ତି ଜେଲରୁ ମୁକୁଳି ଆସି ଏହି ବିଶୃଙ୍ଖଳା କରିଛନ୍ତି’

କଟକ: କଟକ ସହରରେ ବିଶୃଙ୍ଖଳା ଘଟଣାରେ ସାଂସଦ ଭର୍ତ୍ତୃହରି ମହତାବ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କିଛି ଅସାମାଜିକ ବ୍ୟକ୍ତି ଜେଲରୁ ମୁକୁଳି ଆସି ଏହି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ମୋ ପାଖରେ ଯେଉଁ ସୂଚନା ଥିଲା, ତାହା ମୁଁ ପୂର୍ବରୁ ଜଣାଇ ଦେଇଥିଲି। କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି, ଯାହାଙ୍କୁ ଆଗରୁ ଚିହ୍ନଟ କରିବା ଦରକାର ଥିଲା ।

ଏହା ସହ ସେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି କହିଛନ୍ତି ଯେ, ସରକାର ନେଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଶାନ୍ତି ଫେରାଇ ଆଣିବ ।

ସେପଟେ, ରବିବାର ଉତ୍ତୋଜନା ପରେ କଟକ​‌​‌ରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ବର୍ତ୍ତମାନ ଗିରଫଦାରୀ ଆରମ୍ଭ ହୋଇଛି ବୋଲି ପୋଲିସ କମିଶନର କହିଛନ୍ତି ।

ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । କମିସନରେଟ୍‌ ପୋଲିସ ଅନ୍ତର୍ଗତ ଦରଘାବଜାର, ମଙ୍ଗଳାବାଗ୍‌, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ଜଗତପୁର, ବୟାଳିଶମୌଜା, ବାଦାମବାଡ କଟକ ସଦର ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ସେହିଭଳି ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ବ୍ୟାନ୍ ରହିବ ।

Comments are closed.