କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ତାଙ୍କୁ ଅପମାନ କରିବା ଭଳି ରହିଛି । ଏହା ତାଙ୍କର ନାରୀତ୍ୱକୁ ହନନ କରୁଛି । ଏକ ସାତ ପୃଷ୍ଠାର ଏତଲା କପିରେ ବର୍ଷା ପ୍ରିୟଦର୍ଶିନୀ ଏଭଳି କିଛି ଲେଖି ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପିନାକ ମିଶ୍ର । ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ ମାମଲାକୁ ଅନୁଶୀଳନ କରାଯାଉଛି ବୋଲି ସେ କହିଛନ୍ତି।
ପିନାକ ମିଶ୍ର କହିଛନ୍ତି, ଗତକାଲି ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଏବେ ଆମେ ଅଭିଯୋଗକୁ ସ୍ୱୀକାର କରିଛୁ। ଏଫଆଇଆରର ବିଷୟବସ୍ତୁକୁ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପୂର୍ବରୁ ବର୍ଷା ମଧ୍ୟ ଏତଲା ଦେଇଥିଲେ । ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳାଙ୍କୁ ନେଇ ମଧ୍ୟ ଏତଲା ରହିଛି । ଏହି ସମସ୍ତ ମାମଲାର ତଦନ୍ତ ଚାଲିଛି। ପରବର୍ତ୍ତୀ ସମୟରେ ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ମଧ୍ୟ ଆମେ ବିଚାରକୁ ନେଉଛୁ।
ଉଲ୍ଲେଖଯୋଗ୍ୟ, ସାଂସଦ ଅନୁଭବ ମହାନ୍ତି କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ୟୁଟ୍ୟୁବରେ ଭିଡିଓ ଅପଲୋଡ କରୁଛନ୍ତି। ଏହି ଭିଡିଓ ଜରିଆରେ ସେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପରୋକ୍ଷରେ ଅନେକ କିଛି ଗହନ କଥା କହିଥିଲେ। ଏହାପରେ ରବିବାର କଟକ ପୁରୀଘାଟ ଥାନାରେ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଛନ୍ତି ବର୍ଷା। ସାତ ପୃଷ୍ଠାର ଏତଲାରେ ସେ ଅନୁଭବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଅନୁଭବ ଭିଡିଓ ଜାରି କରି ଅପମାନିତ କରୁଛନ୍ତି। ଯାହା ବି ଅନୁଭବ କହୁଛନ୍ତି ତାହା ମନଗଢା କାହାଣୀ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବର୍ଷା ଏତଲାରେ କହିଛନ୍ତି।
Comments are closed.