Latest Odisha News

BREAKING NEWS

“ଦୃଷ୍ଟିକୋଣ” ସରିଲା ସ୍ପେଶାଲ୍ ସ୍କ୍ରିନିଂ, ଏବେ ରିଲିଜ୍‌କୁ ଅପେକ୍ଷା

ଭୁବନେଶ୍ୱର: ଓଲିଉଡରେ ବିପ୍ଳବ ଆଣିବ ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଆଗାମୀ ଫିଲ୍ମ “ଦୃଷ୍ଟିକୋଣ” । ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଫିଲ୍ମ ଜଗତ ? ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଛି ବହୁଚର୍ଚ୍ଚିତ ଫିଲ୍ମ ଦୃଷ୍ଟିକୋଣ । ତେବେ ରିଲିଜ୍ ପୂର୍ବରୁ ନିକଟରେ ଏକ ବିଳାସମୟ ହୋଟେଲରେ ଏକ ସ୍ୱତନ୍ତ୍ର କାରଣ ପାଇଁ ଏହାର ଏକ କ୍ରିଟିକ୍ ସୋ’ର ଆୟୋଜନ କରାଯାଇଥିଲା ।

BjdElectrycity

ପୂର୍ବରୁ ‘ଦୃଷ୍ଟିକୋଣ’ର ଟିଜର୍ ତଥା ଚର୍ଚ୍ଚିତ କାହାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫିଲ୍ମକୁ ନେଇ ଉପୁଜିଥିବା ବିବାଦୀୟ ସ୍ଥିତିର ସମାଧନ ତଥା ଖାସ ସମାଲୋଚକଙ୍କ ପାଇଁ ଏହି ସ୍ୱତନ୍ତ୍ର ସୋ’ ଆୟୋଜନ କରାଯାଇ ଫିଲ୍ମଟିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ସିନେ କ୍ରିଟିକ୍‌, ସିନେ ପ୍ରେମୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

ଆରମ୍ଭରୁ ଶେଷ ଯାଏଁ ଫିଲ୍ମଟିକୁ ଦେଖିବା ପରେ ସିନେ କ୍ରିଟିକମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର୍ ମାନ୍ୟତା ଦେବା ସହ ଅନନ୍ୟ କାହାଣୀକୁ ଭୁରିଭୁରି ପ୍ରଶଂସା କରିଥିଲେ । ତେବେ ଖାସ କରି ମୁଖ୍ୟ ଭୂମିକାରେ ଥିବା ଶୁଭଶ୍ରୀ (ଲିଜା) ନାୟକଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଅନ୍ୟପଟେ କ୍ରାଇମ୍ ବ୍ରାଂଚ ପୋଲିସ ଅଫିସର ଭାବେ ଏଲିନା ସାମନ୍ତରାୟଙ୍କ ଅଭିନୟ ବେଶ ଉଚ୍ଚକୋଟିର ତଥା ପରିପକ୍ୱ ଥିବା ନେଇ ମତ ପ୍ରକାଶ ପାଇଥିଲା । ସେହିଭଳି ହର ରଥଙ୍କୁ ଆଡଭୋକେଟ ଭାବେ ଓ ସାହିତ୍ୟିକ ହର ପ୍ରସାଦ ଦାସଙ୍କ ଜଜ୍ ଭୂମିକାକୁ ମଧ୍ୟ ସିନେ କ୍ରିଟିକମାନେ ତାରିଫ୍ କରିଥିଲେ ।

ଫିଲ୍ମର କାହାଣୀରେ ନାରୀ ନିର୍ଯାତନା ଭଳି ଶବ୍ଦର ସ୍ଥିତି ତଥା ତାହାର କୁପରିଣାମକୁ ଦର୍ଶାଯାଇଛି । ଯେଉଁଥିରେ ନିଶାଦ୍ରବ୍ୟରେ ମତୁଆଲା କିଛି ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପରବର୍ତ୍ତୀ ସମୟରେ ସେହି ଯୁବତୀଙ୍କ ଭାବି ସ୍ୱାମୀକୁ ହତ୍ୟା କରାଯିବା ସହ ତାଙ୍କ ସହ ହୋଇଥିବା ଦୁଷ୍କର୍ମର ପ୍ରମାଣ ମଧ୍ୟ ନଷ୍ଟ କରାଯାଇଛି । ତେବେ ସେହି ପୀଡିତାଙ୍କୁ ଜଣେ ମହିଳା ସଚ୍ଚୋଟ ପୋଲିସ ଅଫିସର ଓ ଜଣେ ଓକିଲ ଲଢେଇ କରି କିପରି ତାଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି, ତାହାକୁ ବେଶ ସୁନ୍ଦର ଭାବେ ଫିଲ୍ମରେ ଦର୍ଶାଯାଇଛି ।

ଅକ୍ଷୟ ପରିଜା ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ଆସନ୍ତା ୨୭ ତାରିଖରେ ସାରା ଓଡିଶାରେ ରିଲିଜ୍ ହେବ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୁଭଶ୍ରୀ (ଲିଜା) ଓ ଏଲିନାଙ୍କୁ ବାଦ୍ ଦେଲେ ଅଙ୍କିତ ମହାନ୍ତି, ହର ରଥ, ଚୌଧୁରୀ ବିକାଶ ଦାସ ଓ ସାହିତ୍ୟିକ ହର ପ୍ରସାଦ ଦାସଙ୍କୁ ପିଭୋଟାଲ ରୋଲ୍‌ରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.