କଟକ: କଟକ ଐତିହ୍ୟ ପଦଯାତ୍ରାର କଟକୀ ଖଟିର ୪୦ତମ ଅଧିବେଶନ ଓଡିଶା କ୍ରିକେଟ୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ସ୍ବନାମଧନ୍ୟ ସଂସ୍କୃତି ପ୍ରେମୀ, ବିଶିଷ୍ଠ କବି ତଥା ଲେଖକ ଶୈଳଜ ରବି ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର “ମୋ ଅନୁଭୂତିରେ କଟକ” ଶୀର୍ଷକକୁ ନେଇ ଆଲୋଚନା କରିଥିଲେ । ନିଜର ପିଲାବେଳରୁ ଏପର୍ଯ୍ୟନ୍ତ ଦୀର୍ଘ ଆଠ ଦଶନ୍ଧିରୁ ଅଧିକ ବର୍ଷ ଧରି ଦେଖିଆସିଥିବା, କଟକର ବିଭିନ୍ନ ସାହିବସ୍ତି ଏବଂ ବଜାରର ତତ୍କାଳୀନ ରୂପ ଏବଂ ବର୍ତ୍ତମାନର ଅବସ୍ଥା ସଂପର୍କରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । କେମିତି ସେତେବେଳେ ଦିନ ଦ୍ବିପ୍ରହରେ ବି ଖାନନଗର ଶ୍ମଶାନ ଦେଇ ଯିବାକୁ ଭୟ ଲାଗୁଥିଲା, ମହାନଦୀ ପଠାରେ କବିତା ଆସର ଜମୁଥିଲା..ସମୁକୁ ନେଇ ପୂର୍ବର କଟକର ସ୍ଥିତିକୁ ପୁଣି ଉଦ୍ଜୀବିତ କରିଥିଲେ ଶୈଳଜ ରବି ।
ଏଥିସହିତ କଟକ ଐତିହ୍ୟ ପଦଯାତ୍ରାର ନିର୍ଦ୍ଦେଶକ ଡକ୍ଟର ଦୀପକ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନେକ ମାନ୍ୟଗଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି କଟକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସଂପର୍କରେ ନିଜ ନିଜର ମତ ରଖିଥିଲେ ।