Latest Odisha News

BREAKING NEWS

ହାଇପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ, ୩ ଗିରଫ

କଟକ : ହାଇ ପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ । ୩ ଜଣ ଠକଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି ୬୦ ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ଜମି ମାଲିକଙ୍କ ଅଜ୍ଞାତରେ ତାଙ୍କ ଜମିର ନକଲି ଦସ୍ତାବିଜ ଦାଖଲ କରି ବ୍ୟାଙ୍କରୁ ଋଣ ନେଉଥିବା ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି କଟକ ଲାଲବାଗ ଥାନା ପୋଲିସ । ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ସଂଖ୍ୟକ ନକଲି ତଥା ଜାଲ ଦସ୍ତାବିଜ ଜବତ ହୋଇଛି ।

ଏହି ୩ ଜଣ ହେଉଛନ୍ତି ସତ୍ୟ ଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ ଓ ରାଜ କିଶୋର ସ୍ବାଇଁ । ସତ୍ୟଶଙ୍କର ୨୦୧୯ରେ ଲାଲବାଗ ଥାନା ଅଞ୍ଚଳରେ ଏକ ବ୍ୟାଙ୍କରେ ଜମି ଡକ୍ୟୁମେଣ୍ଟ୍ ସହ ବିଭିନ୍ନ ଡକ୍ୟୁମେଣ୍ଟ୍ ଦେଖାଇ ୬୦ ଲକ୍ଷ ଟଙ୍କା ଲୋନ୍ ଆଣି ସୁଝି ନ ଥିଲା । ପରେ ବ୍ୟାଙ୍କ୍ ତରଫରୁ ସନ୍ଦେହ ହେବାରୁ ଭେରିଫାଏ କରାଯାଇଥିଲା । ପରେ ଲୋନ୍ କରାଯାଇଥିବା ଜମିର ମୂଳ ମାଲିକ ଅନ୍ୟ ଜଣେ ବୋଲି ଜଣାପଡିଥିଲା । ଏନେଇ ବ୍ୟାଙ୍କ୍ ତରଫରୁ ଜମିର ମୂଳ ମାଲିକଙ୍କୁ ଡକାଇ ପଚରାଉଚରା କରାଯାଇଥିଲା । ହେଲେ ଏ ଡକ୍ୟୁମେଣ୍ଟ୍ ଜମି ମାଲିକଙ୍କର ନୁହେଁ ବୋଲି ବ୍ୟାଙ୍କ୍ ଜାଣିବାକୁ ପାଇଥିଲା । ଆଉ ଏସବୁ ଫେକ୍ କାଗଜପତ୍ର କରି ଜମି ଉପରେ ଲୋନ୍ କରିଥିବା ଜାଣିବା ପରେ ଦୁଇବର୍ଷ ତଳେ ବ୍ୟାଙ୍କର ପରିଚାଳକ ଲାଲବାଗ ଥାନାରେ ଏତଲା ଦେଇଥିଲେ । ପୋଲିସର ତଦନ୍ତ ଜାରି ରହିଥିବା ବେଳେ, ଦୁଇ ବର୍ଷ ପରେ ସତ୍ୟଶଙ୍କର ଓରଫ୍ ବାପିକୁ ଗିରଫ କରିଥିଲା ପୋଲିସ୍ ।

ସତ୍ୟଶଙ୍କର ସହ ଅନ୍ୟ ଦୁଇ ଜଣ ମଧ୍ୟ ବିଭିନ୍ନ ଡକ୍ୟୁମେଣ୍ଟକୁ ଜାଲିଆତି କରିବାରେ ସାହାଯ୍ୟ କରୁଥିଲେ । ଆଉ ବିଭିନ୍ନ ବ୍ୟାଙ୍କକୁ ଯାଇ ଏହି ଫେକ୍ ଡକ୍ୟୁମେଣ୍ଟ୍ ଆଧାରରେ ଲୋନ୍ ଆଣି ବ୍ୟାଙ୍କକୁ ଠକୁଥିଲେ । ଜମି ବା ସମ୍ପତ୍ତିର ଜାଲ୍ କାଗଜପତ୍ର କରି ଲୋନ୍ ଆଣି ଅନ୍ୟ କାହାକୁ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା ଉଠାଉଥିଲେ । ପୂର୍ବରୁ ମଧ୍ୟ ମାଷ୍ଟରମାଇଣ୍ଡ ସତ୍ୟଶଙ୍କର ନିଜ ବାପାଙ୍କ ନାଁରେ ଫେକ୍ ଡକ୍ୟୁମେଣ୍ଟରେ ଲୋନ୍ ଆଣି ଗିରଫ ହୋଇଥିଲା । ଆଉ ଏବେ ପୁଣି କାରନାମା କରି ପୋଲିସ ପଞ୍ଝାରେ ଧରାପଡିଛି । ଏହି ରାକେଟରେ ଆଉ କାହାର ସଂପୃକ୍ତି ରହିଛି ନା ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

Comments are closed.