Latest Odisha News

ନର୍ସିଂହୋମରେ ନିଆଁ ଲାଗିବା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ରାଧାରମଣ ନର୍ସିଂହୋମରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସଚିବ, ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନର ମଧ୍ୟ ନିର୍ଦ୍ଦେଶ ରହିଛି ।

କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କଟକର ପୁରୀଘାଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ୩ୟ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । କେହି କେହି କିଛି ବୁଝିବା ଆଗରୁ ଅତି ଦ୍ରୁତ ଗତିରେ ବ୍ୟାପିଥିଲା ନିଆଁ । ଉପର ମହଲାରେ ରୋଗୀଥିବା ବେଳେ ଅଗ୍ନିଶମ ଟିମ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ବହୁ କଷ୍ଟରେ ଜଣେ ପରେ ଜଣେ ରୋଗୀଙ୍କୁ ସିଡି ମାଧ୍ୟମରେ ତଳକୁ ଆଣିଥିଲେ କର୍ମଚାରୀ । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖରେ ଥିବା ତ୍ରୀଶା ଚାଇଲ୍ଡ କେୟାର ମଧ୍ୟ ପ୍ରଭାବିତ ହୋଇଥିଲା । ସେମାନଙ୍କୁ ଠାନ କରିବାକୁ ପ୍ରକ୍ରିୟା ଚାଲିଛି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି । ଘଟଣାରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୩୪ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ସେଥିରେ ୧୭ ଜଣ ନବଜାତ ଶିଶୁ ରହିଛନ୍ତି । ବାକି ୧୧ ଜଣ ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

 

Comments are closed.