କଟକ: ବିଟ୍ବକ୍ସିଂ । ଫିଜିକାଲ ନୁହେଁ ବରଂ ଭଏସ୍ ବକ୍ସିଂ । କୌଣସି ବାଦ୍ୟଯନ୍ତ୍ରର ସହାୟତା ନ ନେଇ କେବଳ କଣ୍ଠ ଜରିଆରେ ବିଭିନ୍ନ ବାଦ୍ୟଯନ୍ତ୍ରର ଅବିକଳ ନକଲ କରି ସ୍ୱର ବାହାର କରିବାକୁ ବିଟ୍ବକ୍ସିଂ କୁହାଯାଇଥାଏ । ବିଦେଶରେ ଲୋକପ୍ରିୟ ହୋଇଥିବା ଏହି କଳାକୁ ଏବେ ଭାରତୀୟ ବି ପସନ୍ଦ କଲେଣି ।
କଟକ ବକ୍ସି ବଜାରର ୧୬ ବର୍ଷୀୟ ଅର୍ଚ୍ଚିତ ପଣ୍ଡା । ମାତ୍ର ୬ ବର୍ଷରୁ ସେ ବିଟ୍ ବକ୍ସିଂ ପ୍ରତି ଆଗ୍ରହ ଦେଖାଇଥିଲେ । ସେବେଠୁ ନିଜ ପିତାମାତାଙ୍କଠାରୁ ସେ ଭରପୁର ସହାୟତା ଓ ସମର୍ଥନ ପାଇଆସିଛନ୍ତି । ତେବେ ଏଥିପାଇଁ ଅର୍ଚ୍ଚିତ କୌଣସି ପ୍ରଫେସନାଲ ଟ୍ରେନିଂର ସାହାରା ନେଇନାହାନ୍ତି । ବରଂ ସୋସିଆଲ ମିଡିଆ ଓ ୟୁଟ୍ୟୁବ ଜରିଆରେ ହିଁ ସେ ନିଜ ଭିତରେ ଥିବା ପ୍ରତିଭାକୁ ଆଲୋକପାତ କରିପାରିଛନ୍ତି ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଯୁକ୍ତ୨ ବିଜ୍ଞାନ ପଢୁଥିବା ଅର୍ଚ୍ଚିତ ବେଶ ଚମତ୍କାର ଢଙ୍ଗରେ ପାଟି ଓ ନାକ ଜରିଆରେ ବିଭିନ୍ନ ଅତ୍ୟାଧୁନିକ ବାଦ୍ୟଯନ୍ତ୍ରର ଅବିକଳ ନକଲ କରିପାରୁଛନ୍ତି । କେହି ସାମ୍ନାରୁ ନିଜ କାନରେ ଶୁଣିଲେ ବି ତାଜୁବ ହୋଇଯିବେ ।
ଅର୍ଚ୍ଚିତଙ୍କ ବାପା ସଂଜୟ ପଣ୍ଡା ଓ ମାଆ ଲିପ୍ସା ପଣ୍ଡା । ଉଭୟ ପେଶାରେ ଡାକ୍ତର ହୋଇଥିଲେ ହେଁ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ପୁଅ ଅର୍ଚ୍ଚିତଙ୍କୁ ସମର୍ଥନ କରିଆସିଛନ୍ତି । ଅନ୍ୟପଟେ ଅର୍ଚ୍ଚିତ ବି ପାଠପଢାରେ ଭାରସାମ୍ୟ ରଖି ବଳକା ସମୟରେ ନିଜ ଅଭ୍ୟାସ ଜାରି ରଖିଛନ୍ତି । ଆଗାମୀ ଦିନରେ ସେ ଇଣ୍ଡିଆନ୍ ବିଟ୍ବକ୍ସ ଚାମ୍ପିୟନ୍ସିପ୍ ଓ ଗ୍ରାଣ୍ଡ ବିଟ୍ବକ୍ସ ଚାମ୍ପିୟନସିପରେ ଭାଗ ନେବାକୁ ଲକ୍ଷ ରଖିଛନ୍ତି ।
Comments are closed.