କଟକ: ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ । କଟକର ଖପୁରିଆରେ ଥିବା ସରକାରୀ ସ’ମିଲ୍ରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ପରମ୍ପରା ଅନୁଯାୟୀ, ଆଜି ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ଚିରଟ ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି ।
ସୂଚନାନୁସାରେ,ରଥ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିଲା । ବର୍ତ୍ତମାନ ସୁଦ୍ଧା ୨୬୧ ଖଣ୍ଡ କାଠ କରତ କଳ ଓ ରଥଖଳାକୁ ଆସି ସାରିଛି । ଅବଶିଷ୍ଟ କାଠ ପର୍ଯ୍ୟାୟକ୍ରମେ ଆସି ରଥଖଳାରେ ପହଞ୍ଚିବ ।
ରଥକାଠ ଚିରଟ ପାଇଁ ଆଜି ପୁରୀରୁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଭୋଇ ସର୍ଦ୍ଦାର, ରଥ ଅମିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ମାଳ, ମହାପ୍ରସାଦ, ପତନି, ଧୂପ, ଦୀପ, ଆଦି ସବୁ ପୂଜା ଜିନିଷ ଧରି କଟକ ଖପୁରିଆ କରତ କଳକୁ ଗସ୍ତ କରିଥିଲେ । ସେଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ, ବାର ଫୁଟ ଲମ୍ବ ବିଶିଷ୍ଟ ତିନିଖଣ୍ଡ ଧଉରା କାଠ ଚିରଟ କରାଯାଇଛି ।
ଜୟ ଜଗନ୍ନାଥ। 🙏
ଆଜି ପବିତ୍ର ରାମନବମୀ ଅବସରରେ, କଟକ ଖପୁରିଆ ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମର କରତକଳରେ, ମହାପ୍ରଭୁଙ୍କ ଚଳିତ ବର୍ଷର ଘୋଷଯାତ୍ରା ପାଇଁ ଉଦ୍ଦିଷ୍ଟ, ପାରମ୍ପରିକ ରଥକାଠ ଚିରଟ ଅନୁକୂଳ କାର୍ଯ୍ୟରେ, ସଂପୃକ୍ତ ସେବକ ଓ ସାଥୀ ଅଧିକାରୀମାନଙ୍କ ସହ ସାମିଲ ହୋଇ, ନିଜକୁ ଧନ୍ଯ ମନେ କରୁଛୁ। pic.twitter.com/0CjCyOL35D
— Arabinda K Padhee (@arvindpadhee) April 6, 2025
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀମାନେ ରଥକାଠ ଅନୁକୂଳ ବେଳେ ଉପସ୍ଥିତ ଥିଲେ ।
ଆଗାମୀ ଚୈତ୍ର ପୂଣ୍ଣିମା ପରେ ରଥଖଳା ପ୍ରସ୍ତୁତି ଆରମ୍ଭ ହେବ । ଆଗାମୀ ଏପ୍ରିଲ ୩୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟ । ସେହିଦିନ ରଥଖଳାରେ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ । ଆଗାମୀ ଜୁନ ୨୭ତାରିଖ ରଥଯାତ୍ରା ଅନୁଷ୍ଠିତ ହେବ ।
Comments are closed.