ପୁରୀ/ସୁବର୍ଣ୍ଣପୁର: ବର୍ତ୍ତମାନ ସମାଜରେ ସାଇବର ଅପରାଧ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସାଇବର ଅପରାଧ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସାଇବର ରଥର ପରିକଳ୍ପନା କରାଯାଉଛି। ଆଜି ପୁରୀ ଟାଉନ ଥାନା ସମ୍ମୁଖରୁ ବାହାରିଛି ସାଇବର ସୁରକ୍ଷା ଅଭିଯାନ ରଥ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟଳୟଠାରେ ମଧ୍ୟ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ଥିବା ସମସ୍ତ ଥାନା ପରିକ୍ରମା କରିବ। ଏଥିସହ ପ୍ରମୁଖ ସ୍କୁଲ, କଲେଜ୍ ଓ ଗହଳି ସ୍ଥାନରେ ଲୋକଙ୍କୁ ସାଇବର ସୁରକ୍ଷା ନେଇ ସଚେତନ କରିବ। ରାଜ୍ୟରେ ୩୪ଟି ସାଇବର ରଥ ୩୦ ଜିଲ୍ଲାରେ ୬୦୦ ଥାନା ପରିକ୍ରମା କରିବ।
ସାଇବର ଅପରାଧ ରୋକିବା ପାଇଁ ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୧୫ ତାରିଖ ଯାଏଁ ସାରା ଜିଲ୍ଲା ପରିକ୍ରମା କରିବ। ସମସ୍ତେ ସାଇବର ଅପରାଧକୁ ରୋକିବା ପାଇଁ ମିଳିତ ଭାବେ ପ୍ରୟାସ କଲେ ସାଇବର ଅପରାଧ ରୋକାଯାଇ ପାରିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମତ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବରିଷ୍ଟ ନାଗରିକ ମଞ୍ଚ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।
ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି।
Comments are closed.