Latest Odisha News

BREAKING NEWS

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଠକିଲେ ସାଇବର ଲୁଟେରା

କଟକ: କାର୍‌ ଡିଲରସିପ୍‌ କରାଇଦେବାକୁ କହି ଠକି ନେଲେ ୪୦ ଲକ୍ଷ ଟଙ୍କା। ପୁଣି ଡିମାଣ୍ଡ କରିଥିଲେ ଆଉ ୧୭ ଲକ୍ଷ ଟଙ୍କା। ଏହାପରେ ବଢିଥିଲା ସନ୍ଦେହ ବଢ଼ିଥିଲା। ଏମିତି ସାଇବର ଠକେଇ ଦେଖିବାକୁ ମିଳିଛି କଟକରେ। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ସାଇବର ଥାନା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୋଷୀର ଟେର ପାଇନାହିଁ।

ପୋଲିସ ସୂଚନା ଅନୁଯାୟୀ, କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ ‘କିଆ’ କମ୍ପାନୀର କାର ଡିଲରସିପ୍ କରିବାକୁ ଚାହିଁଥିଲେ। ସେ ସମ୍ବଲପୁର ଅଞ୍ଚଳରେ ଏହା କରିବାକୁ ଇଚ୍ଛୁକ ଥିଲେ। ଏଥିପାଇଁ ସେ ଅନଲାଇନରୁ ଗୋଟିଏ ଟେଲିଫୋନ୍‌ ନମ୍ୱର ପାଇ, ଫୋନ୍‌ ନମ୍ୱରଟି ‘କିଆ’ କମ୍ପାନୀର ଭାବି କଲ୍‌ କରିଥିଲେ। ଅନ୍ୟପଟେ ଫୋନ ଉଠାଇଥିବା ବ୍ୟକ୍ତି ଜଣକ ନିଜକୁ ‘କିଆ’ର ଅଧିକାରୀ ବୋଲି ପରିଚୟ ମଧ୍ୟ ଦେଇଥିଲେ।

କଥାବାର୍ତ୍ତା ପରେ ଡିଲରସିପ୍ ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲ। ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ତାରିଖରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ବ୍ୟାଙ୍କ ଯଥା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ମାଧ୍ୟମରେ ଜମା କରିଥିଲେ।

ଗତ ୧୬ ତାରିଖରେ ବ୍ୟବସାୟୀଙ୍କ ପାଖକୁ ଆଉ ଥରେ ଫୋନ୍‌ କଲ ଆସିବା ସହ ଆହୁରି ୧୭ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା, ନିଜକୁ ‘କିଆ’ କମ୍ପାନୀର ଅଧିକାରୀ ବୋଲି ପରିଚୟ ଦେଇଥିବା ‍ବ୍ୟକ୍ତି। ସେହି ଟଙ୍କା ଆଉ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ମଧ୍ୟ କହିଥିଲେ। ଏଥିରୁ ବ୍ୟବସାୟୀଙ୍କର ସନ୍ଦେହ ବଢ଼ିବାରୁ ସେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ।

ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣିବାକୁ ପାଇଥିଲେ। ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମୀର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କଥାବାର୍ତ୍ତା ହେଉଥିବା ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜାଣିବାକୁ ମିଳିଛି।

Leave A Reply

Your email address will not be published.