ଭୁବନେଶ୍ୱର: ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ସୋମବାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ଓ ସୁରକ୍ଷା ସଚେତନତା ସମ୍ପର୍କରେ ଅବଗତ କରାଯାଇଛି।
କମିସନରେଟ୍ ପୁଲିସର ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ଏକ ଟିମ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିସନରେଟ୍ ପୁଲିସର ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ବ୍ୟକ୍ତିଗତ ସୂଚନାର ସୁରକ୍ଷା ଠାରୁ ଆରମ୍ଭ କରି ସାଇବର ବିପଦକୁ ଚିହ୍ନଟ କରିବା ଏବଂ ଏହାର ମୁକାବିଲା କରିବା ଉପରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଆଲୋଚନା, ପ୍ରଶ୍ନ ପଚାରିବା ଓ ସେମାନଙ୍କ ଭାବନା ବାଣ୍ଟିଥିଲେ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପୋଷ୍ଟର ମେକିଂ ପ୍ରତିଯୋଗିତା। ଛାତ୍ରଛାତ୍ରୀମାନେ ସେମାନଙ୍କ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ସହ ସାଇବର ସୁରକ୍ଷା ସମ୍ବନ୍ଧରେ ଆବଶ୍ୟକୀୟ ବାର୍ତ୍ତା ପ୍ରଦାନ କରୁଥିବା ପୋଷ୍ଟରମାନ ପ୍ରସ୍ତୁତ କରିଥିଲେ। ଏହି ସଚେତନତା ଜରିଆରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସାଇବର ସେଫ୍ଟି କୁଇଜ୍ ମଧ୍ୟ ଆୟୋଜିତ ହୋଇଥିଲା।
ଇଣ୍ଟରାକ୍ଟିଭ୍ ଡିସପ୍ଲେ ଓ ଟୁଲସରେ ସଜ୍ଜିତ ମୋବାଇଲ୍ ସଚେତନତା ୟୁନିଟ୍ ‘ସାଇବର ରଥ’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସାଇବର ବିପଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ସେମାନେ ଫିସିଂ ଇମେଲକୁ ଚିହ୍ନିବା, ମଜବୁତ ପାସଓ୍ୱାର୍ଡ ତିଆରି କରିବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୁରକ୍ଷିତ ରହିବା ଶିଖିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଲ. ଏନ. ଦାଶଙ୍କ ସମେତ ଅଧିକାରୀ ମାନେ ସାଇବର ରଥକୁ ସ୍ୱାଗତ କରିଥିବା ବେଳେ ଏନ ସାହୁ, ପ୍ରଶାସନିକ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଟିମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Comments are closed.