Latest Odisha News

BREAKING NEWS

Cyclone Arnab: ଆନ୍ଧ୍ରରେ ଘାଣ୍ଟୁଛି, ଓଡିଶାରେ କାଚୁଛି; ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବାତ୍ୟା! ଜାଣନ୍ତୁ କେଉଁ ଆଡେ ଗତି କରୁଛି ବାତ୍ୟା ‘ଅର୍ଣ୍ଣବ’…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ସହ ସ୍ଥଳଭାଗ ଛୁଇଁଥିବା ଏହି ବାତ୍ୟାର ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ଏବେ ଆସିଛି ନୂଆ ଅପଡେଟ୍‌। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବାତ୍ୟାଟି ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି। ବର୍ତ୍ତମାନ ଏହା ଅତି ଭୀଷଣ ରୂପରୁ ଭୀଷଣ ରୂପକୁ ଦୁର୍ବଳ ହୋଇଛି ।

IMDର ସଦ୍ୟତମ ବୁଲେଟିନ୍‌ ଅନୁସାରେ, ଅକ୍ଟୋବର ୨୮ ତାରିଖ ରାତି ୨ଟାରୁ ସକାଳ ୮ଟା ମଧ୍ୟରେ ବାତ୍ୟାଟି ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଆନ୍ଧ୍ରପ୍ରଦେଶ-ୟାନାମ ଉପକୂଳ ଅତିକ୍ରମ କରିଛି। ୟାନାମର ଦକ୍ଷିଣ-ପଶ୍ଚିମ ଦିଗରେ ଏହା ସ୍ଥଳଭାଗକୁ ପ୍ରବେଶ କରିଥିଲା। ସକାଳ ୮ଟା ସୁଦ୍ଧା ବାତ୍ୟାର କେନ୍ଦ୍ରୀୟ ଅଂଶ ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଭିତରକୁ ପଶିଯାଇଥିବା IMD ସ୍ପଷ୍ଟ କରିଛି। ସକାଳ ୮ଟା ୩୦ ସୁଦ୍ଧା ବାତ୍ୟାର କେନ୍ଦ୍ର ନରସାପୁରର ୨୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ, ୟାନାମର ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏବଂ କାକିନାଡାର ୬୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଥିଲା। ଏହାସହ ମଚିଲିପଟନମ୍‌ଠାରୁ ୯୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ, ଗନ୍ନାଭରମ୍‌ଠାରୁ ୧୨୦ କିଲୋମିଟର ପୂର୍ବରେ ଏବଂ ଟୁନିଠାରୁ ୧୨୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହା ଅବସ୍ଥିତ ଥିଲା।

ତେବେ ଏହାର ପ୍ରଭାବରେ ଏବେ ବେହାଲ ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା । ଆନ୍ଧ୍ରର ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା, ବିଦ୍ୟୁତ୍ ଖୁଣ୍ଟ ଓ ତାର କ୍ଷତିଗ୍ରସ୍ତ ହେବା ସହ ରାସ୍ତାରେ ପାଣି ଜମିବା ଏବଂ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବା ଖବର ମିଳିଛି। ଏପଟେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଝଡ଼ପବନର ଆଶଙ୍କା ରହିଛି।

IMDର ଆକଳନ ଅନୁସାରେ, ବାତ୍ୟାଟି ଆଗାମୀ ୪୮ ଘଣ୍ଟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମେ ଦୁର୍ବଳ ହେବ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାରୁ ସାଧାରଣ ବାତ୍ୟାକୁ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାପରେ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ।

ବାତ୍ୟା ଦୁର୍ବଳ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନକୁ ନେଇ ସତର୍କତା ଜାରି ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବାର ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ସ୍ଥାନୀୟ ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳରେ ଜଳ ଜମିବାର ଆଶଙ୍କା ରହିଛି।

ତେଣୁ ବାତ୍ୟା ଦୁର୍ବଳ ହେଉଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ଲୋକଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ପରବର୍ତ୍ତୀ ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି।

Leave A Reply

Your email address will not be published.