ରିଷିଡ଼ା:ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ପୋଲିସ ଗାଡ଼ି ଉପରକୁ ପଥର ମାଡ଼ ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ହୋଇଛି। ଗତ ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ବଡ଼ ଡୁଙ୍ଗୁରିଗୁଡ଼ା ଅଞ୍ଚଳରେ ଟଙ୍କା ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ରାତି ପ୍ରାୟ ୧ଟା ୪୫ ମିନିଟ୍ରେ ପୋଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତିମାନେ ପୋଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ସୂଚନାଥାଉକି,ଜଣେ ମହିଳା ହୋମଗାର୍ଡଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ସୂଚନା ରହିଛି ।
ଗିରଫ ବ୍ୟକ୍ତିମାନେ ହେଲେ ନୂନପୁର ଗ୍ରାମର ଘନଶ୍ୟାମ ରଣା (୬୩), ରିଷିଡ଼ା ଗ୍ରାମର ଦୟାନିଧି ଭୋଇ (୫୭), ବଡ଼ ଡୁଙ୍ଗୁରିଗୁଡ଼ାର ଶକ୍ତି ପୁଟେଲ (୨୭) ଓ ସୁବ୍ରତ ମିଶ୍ର (୨୯), ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ (୫୬) ଏବଂ ରିଷିଡ଼ାର ରାଧେଶ୍ୟାମ ରଣା (୩୫) ଓ କାମଦେବ ପଧାନ (୨୮)।
ପୋଲିସ ଘଟଣାସ୍ଥଳରୁ ଜୁଆ ଖେଳରେ ବ୍ୟବହୃତ ଏକ ବାଉଁଶ ଝୁଡ଼ି,୬ଟି ଡାଇସ୍, ୧୩ ହଜାର ୨୦୦ ଟଙ୍କା, ଗୋଟିଏ ମୋଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍ ଜବତ କରିଛି।

Comments are closed.