ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟ ତଟ ମୁହାଁ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’। ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା। ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର। ଆଜି ସନ୍ଧ୍ୟା ୪ ଟାରୁ ରାତି ୮ ଟା ମଧ୍ୟରେ ଗୁଜୁରାଟର କଚ୍ଛ ଜିଲ୍ଲା ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୨୫ ରୁ ୧୩୫ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ଗୁଜୁରାଟ ରିଲିଫ କମିଶନର ଆଲୋକ ପାଣ୍ଡେ କହିଛନ୍ତି ଯେ ବୁଧବାର ପୂର୍ବାହ୍ନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ୭୪,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସମୁଦାୟ ୭୪,୩୪୫ ଲୋକଙ୍କୁ ୮ ଟି ଉପକୂଳବର୍ତ୍ତୀ ଜିଲ୍ଲାର ଅସ୍ଥାୟୀ ଆଶ୍ରୟସ୍ଥଳକୁ ନିଆଯାଇଥିଲା। କେବଳ କଚ୍ଛ ଜିଲ୍ଲାରେ ପ୍ରାୟ ୩୪,୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ପରେ ଜାମନଗରରେ ୧୦,୦୦୦ ଲୋକଙ୍କୁ, ମୋର୍ବିରେ ୯,୨୪୩, ରାଜକୋଟରେ ୬,୦୮୯, ଦେବଭୂମି ଦ୍ୱାରକାରେ ୫,୦୩୫, ଜୁନାଗଡରେ ୪,୬୦୪, ପୋରବନ୍ଦରରେ ୩,୪୬୯ ଏବଂ ଗିର ସୋମନାଥ ଜିଲ୍ଲାର ୧,୬୦୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଗୁଜୁରାଟର ଦ୍ୱାରକାଠାରେ ବିପର୍ଯ୍ୟୟଙ୍କ ଭୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଘୂର୍ଣ୍ଣିବଳୟ ଯୋଗୁଁ ଆଜି ଭକ୍ତଙ୍କ ପାଇଁ ଦ୍ୱାରକାଧିଶ ମନ୍ଦିର ବନ୍ଦ ରହିଛି। ଏହା ବ୍ୟତୀତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବାତ୍ୟା ବିପର୍ଯ୍ୟୟ ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି।
Comments are closed.