ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ସେନ୍ୟାର ଦୁର୍ବଳ ହେବା ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଥିବା ଡିପ୍ରେସନ ବର୍ତ୍ତମାନ୍ ଗଭୀର ଡିପ୍ରେସନରେ ପରିଣତ ହୋଇଛି। ଯାହାକି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ ରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି। ତେଣୁ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।
ଏହି ଘୂର୍ଣ୍ଣିଝଡର ନାମ ‘ଡିଟୱା’ ଦିଆଯାଇଥିବା ଜଣାପଡିଛି। ଏହି ସପ୍ତାହ ଶେଷ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ କହିଛି। ଏଥିସହିତ ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ନିକଟରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଓ ଧୀରେ ଧୀରେ ତୀବ୍ର ହେବ। ଏଥିସହିତ ଏହା ଅତି କମରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବ।
ଏହି ଝଡ଼ ଶ୍ରୀଲଙ୍କା ଉପକୂଳର ପ୍ରାୟ ସମାନ୍ତରାଳ ଭାବରେ ଗତି କରିବ ଏବଂ ନଭେମ୍ବର ୨୯ ସୁଦ୍ଧା ତାମିଲନାଡୁ-ପୁଡୁଚେରୀ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପ୍ରବେଶ କରିବ। ଏହି ଡିପ୍ରେସନ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପୂର୍ବ ଶ୍ରୀଲଙ୍କା ଏବଂ ଆଖପାଖ ସମୁଦ୍ର ଉପରେ ରହିବ ଓ ପରେ ଏହା ଭାରତୀୟ ଉପକୂଳ ଆଡକୁ ଗତି କରିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି। ତେବେ ମାଲାକା ପ୍ରଣାଳୀ ଏବଂ ଉତ୍ତର-ପୂର୍ବ ଇଣ୍ଡୋନେସିଆର କିଛି ଅଂଶରେ ସକ୍ରିୟ ଥିବା ଘୂର୍ଣ୍ଣିଝଡ଼ ସେନ୍ୟାର ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି ଓ ଧୀରେ ଧୀରେ ଗଭୀର ଡିପ୍ରେସନରେ ପରିଣତ ହୋଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ପୂର୍ବ ଆଡକୁ ଗତି କରି ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଏହା ସତ୍ୱେ ମଧ୍ୟ ସେନ୍ୟାର ପ୍ରଭାବରେ ଆଗାମୀ କିଛି ଦିନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ଅଧିକାରୀମାନେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ବଙ୍ଗୋପସାଗରରେ ଆଉ ଏକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
Comments are closed.