Latest Odisha News

BREAKING NEWS

ସାମୁଦ୍ରିକ ଝଡ଼ ‘ଫନି’: ମେ ୩ରେ ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିପାରେ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଉତ୍ତର ଉତ୍ତର-ପୂର୍ବ ମୁହାଁ ହୋଇ ଓଡ଼ିଶା ଉପକୂଳର ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟ ଦେଇ ପୁରୀ ଉପକୂଳର ଦକ୍ଷିଣ ଆଡ଼ରେ ମେ ୩ ତାରିଖ ଅପରାହ୍ନ ବେଳକୁ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମରେ ସୃଷ୍ଟି ହୋଇ ଗତ ୬ ଘଣ୍ଟା ମଧ୍ୟରେ ୨୨ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହି ଝଡ଼ ‘ଫନି’ ବିଶାଖାପାଟଣା ଉପକୂଳର ଦକ୍ଷିଣ ପୂର୍ବ ଦିଗରେ ୬୨୦ କିମି ତଥା ପୁରୀ ଉପକୂଳର ଦକ୍ଷିଣରେ ୮୦୦ କିଲୋମିଟର ଦୂରତାରେ ଗତି କରୁଛି । ସେହିପରି ଶ୍ରୀଲଙ୍କାର ତ୍ରିଙ୍କୋମାଳୀ ଉପକୂଳଠାରୁ ପ୍ରାୟ ୬୬୦ କିମି ଦୂରତାରେ ରହି ଗତି କରୁଛି ।

ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଆହୁରି ଅଧିକ ଭୀଷଣ ରୂପ ଧାରଣ କରିବା ସହିତ କ୍ରମେ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମେ ୩ ତାରିଖ ଅପରାହ୍ନ ବେଳକୁ ଏହା ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ବାତ୍ୟା ‘ଫନି’ ପ୍ରଭାବରେ ପବନର ବେଗ ଘଣ୍ଟାକୁ ୧୭୫ ରୁ ୧୮୫ କିମି ରେ ଗତି କରିବ । ଏପରିକି ଏହି ସାମୁଦ୍ରିକ ଝଡ଼ ଘଣ୍ଟା ପ୍ରତି ସର୍ବାଧିକ ୨୦୫ କିଲୋମିଟର ବେଗରେ ବହିବାର ଆଶଙ୍କା ରହିଥିବାର ସତର୍କ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ଉପର ଦେଇ ପବନ ବହିବ ।

Leave A Reply

Your email address will not be published.