Latest Odisha News

BREAKING NEWS

ଭୟଙ୍କର ରୂପ ନେଉଛି ବାତ୍ୟା ‘ଫନି’: ଭଦ୍ରକ ଓ ଜଗତସିଂହପୁର ପହଞ୍ଚିଲେ ଏନଡ଼ିଆରଏଫ ଟିମ୍

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ମେ ୨ ତାରିଖ ଅର୍ଥାତ ଗୁରୁବାର ଦିନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ୩ ଓ ୪ ତାରିଖରେ ମଧ୍ୟ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାର ସୂଚନା ହସ୍ତଗତ ହୋଇଛି । ପ୍ରବଳ ବୃଷ୍ଟିପାତ ସାଙ୍ଗକୁ ୬୦ ରୁ ୮୫ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ଆଶଙ୍କା ରହିଛି । ପବନ ୨୪ ଘଣ୍ଟା ଧରି ବହିବା ସହିତ କ୍ରମେ ଏହା ହ୍ରାସ ପାଇ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ତେଣୁ ଏହାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଏନଡ଼ିଆରଏଫ ଟିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଅତ୍ୟଧିକ ପ୍ରଭାବିତ ହେବା ସ୍ଥାନମାନଙ୍କରେ ପହଞ୍ଚିବା ଆରମ୍ଭ କଲେଣି ।

ଭୟଙ୍କର ଝଡ଼ ‘ଫନି’ ୩ ତାରିଖ ସକାଳେ ପୁରୀର ଦକ୍ଷିଣ ପାଶ୍ୱର୍ର ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୨୦୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏଥିଲାଗି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଜାଗ ହୋଇଯାଇଛି । ଏନଡ଼ିଆରଏଫ ଟିମକୁ ପ୍ରଥମେ ଭଦ୍ରକ ଓ ଜଗତସିଂହପୁର ପଠାଯାଇଛି । ଏହି ଦୁଇଟି ଜିଲ୍ଲାକୁ ମୋଟ ୫ଟି ଏନଡ଼ିଆରଏଫ ଟିମ୍ ପଠାଯାଇଥିବା ସୂଚନା ମିଳିଛି ।

ଏବେ ରାଜ୍ୟର ସମସ୍ତ ବନ୍ଦର ଗୁଡ଼ିକୁ ୨ ନମ୍ବର ସଙ୍କେତ ପ୍ରଦାନ କରାଯାଇଛି । ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ କରି ୩ ନମ୍ବର ସଙ୍କେତ ପ୍ରଦାନ କରାଯିବ ବୋଲି ପାଣିପାଗ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ଏହି ଭୟଙ୍କର ବାତ୍ୟା ‘ଫନି’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.