Latest Odisha News

BREAKING NEWS

ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା: ଜାଣନ୍ତୁ ପବନର ବେଗ କେତେ ?

ଭୁବନେଶ୍ୱର: ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ଗୁଲାବ । ଦକ୍ଷିଣ ଓଡ଼ିଶା ଉପକୂଳ ଆଡେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉରକୂଳଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ଭିତରେ ଥାଇ ବି ପ୍ରଭାବ ଦେଖାଇଲାଣି ଗୁଲାବ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଛି ।

୭ ଜିଲ୍ଲାକୁ ରେଡ୍ ଆଲର୍ଟ
ବାତ୍ୟା ଗୁଲାବ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରଭାବ ଛାଡ଼ିପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି । ଏହି ୭ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ । ସେହିପରି ଉପକୂଳର କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ବି ବର୍ଷା ପବନ ହେଲାଣି ।

ପ୍ରବଳ ବର୍ଷା ପବନରେ ଭୂସ୍ଖଳନ ଆଶଙ୍କା ରହିଛି । ଫ୍ଲାସ୍ ଫ୍ଲଡ୍ ବି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଆଶଙ୍କା ଥିବା ୭ ଜିଲ୍ଲାର ତଳି ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଜିଲ୍ଲାର ଭୂସ୍ଖଳ ଆଶଙ୍କା ଥିବା ଅଞ୍ଚଳରୁ ୫୦୦ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ପବନର ବେଗ 
ବାତ୍ୟା ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୫-୭୫ କିଲୋମିଟର ଓ ସ୍ଥଳ ବିଶେଷରେ ବଢ଼ି ୮୫ କିଲୋମିଟର ଛୁଇଁପାରେ । ଲାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫-୮୫ କିଲୋମଟର ଓ ସ୍ଥଳବିଶେଷରେ ବଢ଼ି ୯୫ କିଲୋମିଟର ଛୁଇଁପାରେ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ସନ୍ଧ୍ୟାରୁ ମଧ୍ୟରାତିରେ ଭିତରେ ପବନର ବେଗ ୭୫-୮୫ କିଲୋମିଟର ରହିବ ।

ସେହିପରି ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପବନର ବେଗ ୫୫-୬୫ କିଲୋମିଟ ରହିପାରେ । ସ୍ଥଳବିଶେଷରେ ବଢ଼ି ପବନର ବେଗ ହୋଇପାରେ ୭୫ କିଲୋମିଟର । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପବନର ବେଗ ୫୦-୬୦ କିଲୋମିଟର ଓ ବଢ଼ି ୭୦ କିଲୋମିଟର ହୋଇପାରେ । ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀଙ୍କୁ କାଲି ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.