Latest Odisha News

BREAKING NEWS

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଉପକୂଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫଳରେ ବଙ୍ଗୋପସାଗରରୁ ମାଡ଼ି ଆସୁଛି ଭୀଷଣ ବାତ୍ୟା। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି।

ଏହା ଆହୁରି ସମୁଦ୍ରରେ ଆହୁରି ବଳ ଗୋଟାଇ ପରବର୍ତ୍ତୀ ୪୮ ଘଣ୍ଟାରେ ବା ଡିସେମ୍ବର ୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଏହି ବାତ୍ୟା ଡିସେମ୍ବର ୪ ରୁ ୬ ତାରିଖ ମଧ୍ୟରେ ଉପକୂଳ ମୁହାଁ ହେବ। ବିଭିନ୍ନ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଘଣ୍ଟା ପ୍ରତି ୧୧୮ରୁ ୧୬୨ କିଲୋମିଟର ବେଗରେ ପବନ ବହିବ।

ଡିସେମ୍ବର ୬ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ମାଡ଼ ହେବାର ଆଶଙ୍କା ରହିଛି। ଆଇଏମଡି ପ୍ରାକ୍‌ ଆକଳନ ଅନୁଯାୟୀ, ୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ରାଜ୍ୟରେ ଏବେ ହାଲୁକା ଶୀତ ବଢ଼ିଛି। ୪ ଦିନ ଯାଏଁ ତାପମାତ୍ରା ବିଶେଷ ବଦଳିବନି। ମଙ୍ଗଳବାର ଦିନ କୋରାପୁଟ, ନବରଙ୍ଗପୁର, କାଲାହାଣ୍ଡି, ନୁଆପଡା, ବୋଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି।

ଡିସେମ୍ବର ୩ ରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୁନର୍ବାର ଆରମ୍ଭ ହେବ ବୋଲି କୁହାଯାଉଛି। ସେହିପରି ଡିସେମ୍ବର ୪ ରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବଜ୍ରପାତ ହେବାର ଆଶଙ୍କା କରାଯାଉଛି। ଆଇଏମଡି ଦ୍ୱାରା ଜାରି କରାଯାଇଥିବା ଟ୍ରପିକାଲ୍ ପାଣିପାଗ ଆଉଟଲୁକ୍ ଅନୁଯାୟୀ ଆସନ୍ତା ୨ ରେ ବାତ୍ୟା ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇପାରେ। ୬ ତାରିଖବେଳକୁ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

Leave A Reply

Your email address will not be published.