Cyclone Montha: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ୨୪ ଘଣ୍ଟାରେ ବାତ୍ୟା, ଆଲର୍ଟରେ ଓଡିଶା, ଆନ୍ଧ୍ର ଉପକୂଳ…
ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ । ୨୪ ଘଣ୍ଟା ଭିତରେ ନେଇପାରେ ବାତ୍ୟା ରୂପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ସକ୍ରିୟ ହୋଇ ଆହୁରି ଘନୀଭୂତ ହେବ ବାତ୍ୟା । ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ, ସନ୍ଧ୍ୟା ସୁଦ୍ଧା କିମ୍ବା ରାତି ପର୍ଯ୍ୟନ୍ତ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି. ରହିବ । ସର୍ବାଧିକ ୧୧୦ କି.ମି. ପବନର ବେଗ ରହିବା ଆଶଙ୍କା କରିଛି ପାଣିପାଗ ବିଭାଗ । ଏବେ ସମୁଦ୍ରରେ ଗତି କରୁଛି ଗଭୀର ଅବପାତ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କି.ମି. ବେଗରେ ଗତି କରୁଛି । ଏବେ ଗୋପାଳପୁର ଠାରୁ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆନ୍ଧ୍ରର କାକିନାଡ଼ାଠାରୁ ୮୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଯାହାକୁ ନେଇ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ରବିବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ଘୂର୍ଣ୍ଣିଝଡ଼ ମୋନ୍ଥା ବଙ୍ଗୋପସାଗର ଉପରେ ଦ୍ରୁତ ଗତିରେ ଘନୀଭୂତ ହେଉଛି, ଯାହା ଫଳରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। IMD ପୂର୍ବାନୁମାନ କରିଛି ଯେ ଘୂର୍ଣ୍ଣିଝଡ଼ ମୋନ୍ଥା ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବ, ଯାହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।
ଏହି ପ୍ରଣାଳୀ ୨୮ ଅକ୍ଟୋବର ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ କଳିଙ୍ଗପଟନମ୍ ନିକଟସ୍ଥ କାକିନାଡା ଏବଂ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି। ଏହି ସମୟରେ ପବନର ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବହିପାରେ। ଏହି ବାତ୍ୟା ପ୍ରଭାବରେ ଦୁର୍ବଳ ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘର, ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ଯାହାକୁ ନେଇ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ଉଭୟ ସରକାର ଉପକୂଳ ଜିଲ୍ଲାଗୁଡ଼ିକୁ ଉଚ୍ଚ ସତର୍କତାରେ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକୁ ନିୟୋଜିତ କରାଯାଉଛି, ଏବଂ ବନ୍ୟା ସମ୍ଭାବନା ଥିବା ନିମ୍ନ ଅଞ୍ଚଳ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ପରିସ୍ଥିତି ଅତ୍ୟନ୍ତ ଅଶାନ୍ତ ହୋଇଯିବ ବୋଲି ଚେତାବନୀ ଦେଇ ଆଇଏମଡି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି।
ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଗଞ୍ଜାମ, ପୁରୀ ଏବଂ କେନ୍ଦ୍ରାପଡ଼ା ସମେତ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ଅଂଶରେ ପ୍ରବଳ ବର୍ଷା ପାଇଁ ଆଇଏମଡି ରେଡ୍ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ଯାହାକୁ ନେଇ ରାଜ୍ୟ ସରକାର ସଜାଗ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ସହିତ ସମନ୍ୱୟ ରଖିଛି। ଉପକୂଳ ଅଞ୍ଚଳର ଲୋକମାନଙ୍କୁ ଭାରି ବର୍ଷା ଏବଂ ପ୍ରବଳ ପବନ ସମୟରେ ଘର ଭିତରେ ରହିବାକୁ, ଉପକୂଳ ଏବଂ ତଳ ଅଞ୍ଚଳକୁ ନଯିବାକୁ, ଗୁଜବ ଉପରେ ବିଶ୍ବାସ ନକରିବାକୁ, IMD ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସରକାରୀ ପରାମର୍ଶ ଏବଂ ଅପଡେଟ୍ ଅନୁସରଣ କରିବାକୁ ପରାମର୍ଶ ଜାରି କରାଯାଇଛି ।
ଓଡ଼ିଶାରେ ବଡ଼ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା ମୋନ୍ଥାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବବା ବେଳେ ଉତ୍ତର ଓଡିଶାରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
Comments are closed.