ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।
ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହାପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ୨୫ ତାରିଖରେ ଓଡ଼ିଶା ଉପକୂଳରୁ ଦୂରରେ ଯାଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।
ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ୨୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।
୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ତଥା କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) October 20, 2022
୨୫ ତାରିଖରେ ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପାଇଁ ୨୨ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୦ କିଲୋମିଟର ରହିପାରେ ।
ଓଡ଼ିଶା ଉପରୁ ବାତ୍ୟା ବିପଦ ଏକପ୍ରକାର ଟଳିଥିବା ବେଳେ ବାତ୍ୟାର ତୀବ୍ରତା ଏଯାଏ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଆଜି ରାଜ୍ୟର ଆଉ କିଛି ଜିଲ୍ଲାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ହୋଇଥିବା ବେଳେ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
Comments are closed.