ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ବାତ୍ୟାର ପ୍ରକୋପରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିିଥିବା ସୂଚନା ଅନୁଯାୟୀ ବାତ୍ୟା ସିତ୍ରାଙ୍ଗ ଗତକାଲି ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ଲ୍ୟାଣ୍ଡଫଲ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ବାତ୍ୟାର ପ୍ରଭାବରେ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। କିଛି ସ୍ଥାନରେ ଗଛ ଡାଳି ଭାଙ୍ଗିଯିବାରୁ ରାସ୍ତା ଅବରୋଧ ହୋଇଥିଲା। ତେବେ ବାତ୍ଯା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ପ୍ରଶାସନ ପକ୍ଷରୁ ସ୍ଥିତିରେ ସ୍ବାଭାବିକ ଆଣିବାକୁ ପ୍ରୟାସ କରାଯାଉଥିବା ସୂଚନା ରହିଛି। ବାଂଲାଦେଶ ସୀମାନ୍ତବର୍ତ୍ତୀ ଅନ୍ୟୂନ ୪ଟି ଜିଲ୍ଲାରେ ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ବରଗୁନା, ନାରାଇଲ, ସିରଜଗଞ୍ଜ ଏବଂ ଭୋଲା ଜିଲ୍ଲାରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଛି। ବଂଲାଦେଶର ବିପର୍ଯ୍ଯୟ ମନ୍ତ୍ରାଳୟ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଗାମୀ ୩ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।
ଏବେ ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି। ଏଥିପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।
Comments are closed.