ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହେବାକୁ ଯାଉଛି ଏବଂ ଆସନ୍ତା ୨୫ ତାରିଖରେ ଏହା ଅବପାତ (Depression)ର ରୂପ ନେଇପାରେ। ଜେସନ୍ ନିକୋଲ୍ସଙ୍କ ପୂର୍ବାନୁମାନରେ ଓଡ଼ିଶା ସମେତ ୩ ରାଜ୍ୟ ଉପରେ ପଡ଼ିପାରେ ପ୍ରଭାବ । ଅକ୍ଟୋବର ଶେଷ ସପ୍ତାହରେ ପୁଣି ଥରେ ଅଶାନ୍ତ ହୋଇପାରେ ବଙ୍ଗୋପସାଗର।
ଆଣ୍ଡାମାନ ସାଗର ନିକଟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଏପରିକି ବାତ୍ୟାର ରୂପ ନେଇପାରେ। ୨୭ରୁ ୨୯ ତାରିଖ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ନଜର ରହିଛି। ଅକ୍ଟୋବର ୨୭ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଖପାଖ ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦିନ ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ପବନ ହୋଇପାରେ।
ଲଘୁଚାପ ଅବପାତର ରୂପ ନେବା ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ଭୁବନେଶ୍ୱର, କଟକ, ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ଏବଂ କ୍ରମଶଃ ବଳ ଗୋଟାଉଛି। ଆସନ୍ତା ୨୫ ତାରିଖ ବେଳକୁ ଏହା ଏକ ସ୍ପଷ୍ଟ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ସମୁଦ୍ରରେ ପବନର ବେଗ ବୃଦ୍ଧି ପାଇବ, ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

