Latest Odisha News

ଆସୁଛି ‘ଦାନା’, କଳାବଜାରୀଙ୍କୁ ସାବଧାନ୍!

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା ‘ଦାନା’ । ତେବେ ବାତ୍ୟା ନେଇ ଆଇଏମଡିର ଆକଳନ ପରେ ଏବେ ଲୋକଙ୍କ ମନରେ ଛନକା ପଶିଥିବା ବେଳେ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନଜ ଆବଶ୍ୟକୀୟ ସାମଗ୍ରୀକୁ ଚଢା ଦରରେ ବିକ୍ରି କରିପାରନ୍ତି । ଯାହାକୁ ନେଇ ସତର୍କ କରାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ ସମ୍ଭାବ୍ୟ ବାତ୍ୟାକୁ ଦେଖି କଳାବଜାରୀଙ୍କୁ ଚେତାବନୀ ଦେଇଛନ୍ତି । ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହି ପୂର୍ବରୁ ତାଗିଦ୍ କରିଛନ୍ତି ମନ୍ତ୍ରୀ । ଏଥିସହିତ ବାତ୍ୟା ନେଇ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନ ହୁଏ ଏହା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମନ୍ତ୍ରୀ ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ । ତେବେ ୨୪ ତାରିଖ ସୁଦ୍ଧା ଏହା ଓଡିଶା- ପଶ୍ଚିମବଙ୍ଗ କିମ୍ବା ଏହାର ମଧ୍ୟବର୍ତ୍ତୀ ଉପକୂଳ ଛୁଇଁବ । ଏନେଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ।

ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ଙ୍କ ସୂଚନା ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ । ୨୩ରୁ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୪, ୨୫ ବେଳକୁ ବର୍ଷାର ପରିମାଣ ବଢିବା ବେଳେ ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ଏଥିପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Comments are closed.