Latest Odisha News

BREAKING NEWS

ଅନୁକୂଳ ରହିଛି ପାଗ, ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ। ପାଗ ଅନୁକୂଳ ଥିବାରୁ ମୌସୁମୀ ସଅଳ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁ ସାରିଥିବା ବେଳେ ୪ରୁ ୫ ଦିନ ଭିତରେ କେରଳ ଛୁଇଁପାରେ ବୋଲି ମଙ୍ଗଳବାର ଭାରତ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଅପଡେଟ୍‌ ସାମ୍‌ନାକୁ ଆସିଛି।

ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୨୭ରେ କେରଳ ଛୁଇଁବ। ସାଧାରଣତଃ ମୌସୁମୀ ବାୟୁ ଜୁନରେ କେରଳ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଯଦି ମୌସୁମୀ ୨୭ ପୂର୍ବରୁ କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ। କାରଣ ୨୦୦୯ରେ ମୌସୁମୀ ୨୩ ମେ’ରେ କେରଳରେ ପହଞ୍ଚିଥିଲା।

ଜାତୀୟ ପାଣିପାଗ ବିଶେଷଜ୍ଞ ଆହୁରି କହିଛନ୍ତି ଯେ ଆଗାମୀ ୪-୫ ଦିନ ମଧ୍ୟରେ କେରଳରେ ମୌସୁମୀ ପ୍ରବେଶ ପାଇଁ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ ସୁଦ୍ଧା କେରଳରେ ପ୍ରବେଶ କରିଥାଏ ଏବଂ ୮ ଜୁଲାଇ ସୁଦ୍ଧା ସାରା ଭାରତରେ ବ୍ୟାପିଥାଏ। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ। ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ। ଅକ୍ଟୋବରରେ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ମୌସୁମୀ ଫେରିଯାଇ ବୋଲି ଆକଳନ ରହିଛି।

Comments are closed.