Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ଯୋଗୁଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘୂଣ୍ଣିବଳୟ ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର କେକେକାଂଶରେ ବୃଷ୍ଟିପାତ ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

ଗଣମାଧ୍ୟମକୁ ସୂଚନାଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଆର କେ ନାୟକ କହିଛନ୍ତି, ବିହାର ଓ ପଡ଼ୋଶୀ ରାଜ୍ୟରେ ଘୂର୍ଣ୍ଣିବଳୟ ଅନୁଭୁତ ହୋଇ ଏହା କ୍ରମେ ଛତିଶଗଡ଼ମୁଖୀ ହୋଇଥିବା ଯୋଗୁଁ ଗତକାଲି ରାଜ୍ୟର କେତେକାଂଶରେ ସାମାନ୍ୟ ବୃଷ୍ଟିପାତ ହୋଇଛି ।

ଏହାର ପ୍ରଭାବରେ, ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବ । ସେହିପରି ଶନିବାର ଦିନ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆହୁରିମଧ୍ୟ ଏହିସବୁ ଜିଲ୍ଲାର କିଛି ଅଞ୍ଚଳରେ ରବିବାର ଦିନ ମଧ୍ୟ ବୃଷ୍ଟିପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗ ପକ୍ଷରୁ ଶନିବାର ସକାଳେ ଜାରି ହୋଇଥିବା ସୂଚନାନୁଯାୟୀ, ଶୁକ୍ରବାର ଦିନ ରାଜ୍ୟର ଅନେକାଂଶରେ ବୃଷ୍ଟିପାତ ହୋଇଥିଲା, ବୃଷ୍ଟିପାତ ରେକର୍ଡ଼ କରାଯାଇଥିବା ସେହି ସ୍ଥାନଗୁଡ଼ିକ ହେଲା – ଝାରସୁଗୁଡ଼ା (୪.୫ ମିମି ), କେନ୍ଦୁଝର (୦.୬ ମିମି ), ସମ୍ବଲପୁର (୦.୮ ମିମି), ସୁନ୍ଦରଗଡ଼ (୧୦ ମିମି ) ଏବଂ ହୀରାକୁଦ (୦.୭ ମିମି) ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡ଼ି ଅନୁଭୁତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.