Latest Odisha News

BREAKING NEWS

ବାଂଲାଦେଶ ମୁହାଁଉଛି ସାମୁଦ୍ରିକ ଝଡ଼ ‘ବୁଲବୁଲ୍’; ଜାଣନ୍ତୁ, ଓଡ଼ିଶାରେ କିପରି ରହିବ ପ୍ରଭାବ…

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାରାଦ୍ୱୀପ ବନ୍ଦରଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ବୁଲବୁଲ୍ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ତଥା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ।

ଏହି ସାମୁଦ୍ରିକ ଝଡ଼ ଏବେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇଛି । ତେଣୁ ଓଡ଼ିଶାକୁ ବାତ୍ୟା ଆଶଙ୍କା ଟଳି ଯାଉଥିବା ସମ୍ଭାବନା ସୃଷ୍ଟି ହୋଇଛି । ଆଇଏମଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ବୁଲବୁଲ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଉଛି । ତେଣୁ ଓଡ଼ିଶାରେ ଏହା ପ୍ରଭାବଶୂନ୍ୟ ରହିବ ।

ଏହାର ପ୍ରଭାବରେ ନଭେମ୍ବର ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବୃଷ୍ଟିପାତ ହେବ । ତେବେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପବନର ବେଗ ବୃଦ୍ଧି ଘଟିପାରେ । ଏହି ସମୟରେ ଓଡ଼ିଶାରେ ୪୦ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଗୁରୁବାର ସକାଳ ସୁଦ୍ଧା ଆଇଏମଡ଼ି ବୁଲେଟିନ ସୂତ୍ରରୁ ଯାହା ସୂଚନା ପ୍ରଦାନ କରାଯାଇଛି, ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ବେଳକୁ ବୁଲବୁଲ୍ ଓଡ଼ିଶାର ଗୋପାଳପୁର ଉପକୂଳଠୁଁ ୩୪୭ କିଲୋମିଟର ଦୂରରେ ରହିଥିବାର ସମ୍ଭାବନା ରହିଛି । ୯ ତାରିଖ ସକାଳ ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ । ଉକ୍ତ ସମୟରେ ପାରାଦ୍ୱିପ ବନ୍ଦରଠାରୁ ୧୩୮ କିମି ଦୂରରେ ରହିଥିବାର ଆକଳନ କରିଛନ୍ତି ଆଇଏମଡ଼ି କର୍ତ୍ତୃପକ୍ଷ ।

ନଭେମ୍ବର ୧୦ରେ ଆଇଏମଡ଼ି ଆକଳନ କରିଥିବା ବୁଲବୁଲ୍ ର ସ୍ଥିତି:

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ନଭେମ୍ବର ୧୦ ତାରିଖ ଦିନ ଓଡ଼ିଶାରେ ବୁଲବୁଲର ସ୍ଥିତି ସମ୍ପର୍କରେ ଆକଳନ କରାଯାଇଛି । ଏହିଦିନ ଧାମରା ବନ୍ଦର ନିକଟରୁ ୧୪୯ କିଲୋମିଟର ଦୂରରେ ରହିଥିବ । ତେବେ ସେହିସମୟରେ ୬୨ରୁ ୭୪ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉକ୍ତଦିନ ସନ୍ଧ୍ୟା ୫ଟା ୩୦ ବେଳକୁ ଚାନ୍ଦିପୁରଠୁଁ ୧୪୮ କିଲୋମିଟର ଦୂରରେ ରହିଥିବା ସମ୍ଭାବନା ରହିଛି ବୋଲି ଆଇଏମଡ଼ି ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.