Latest Odisha News

ମାଡ଼ି ଆସୁଛି ‘ଦାନା’: ଆଜି ରାତିରେ ରଚିବ ତାଣ୍ଡବ ଲୀଳା

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଦାନା’ । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ ।

ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ ।

ତେବେ ଫନି ଠାରୁ ଏହାର ପ୍ରକୋପ କମ ରହିବ । ବାତ୍ୟା ୟାସ୍ ଭଳି ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ଦାନା ଦ୍ଵାରା କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ବିଶେଷ ଭାବରେ ପ୍ରଭାବିତ ହେବ । ଜଗତସିଂହପୁର ଆଂଶିକ ଭାବେ ପ୍ରଭାବିତ ହେବ ବୋଲି କହିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ସମୟରେ୨ ମିଟର ଉଚ୍ଚର ଲୁଣା ପାଣି ମାଡି ଆସିପାରେ । ସେହିପରି ୨୦ରୁ ୩୦ ସେମି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

Leave A Reply

Your email address will not be published.