Latest Odisha News

BREAKING NEWS

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି।

ସୋମବାର ସରକାରୀ ଜେଜେ ହସ୍ପିଟାଲରେ ସାଇରସ୍ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଜାହଙ୍ଗୀର ପାଣ୍ଡୋଲଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ମିସ୍ତ୍ରୀଙ୍କର ମୁଣ୍ଡରେ ଆଘାତ ଲାଗିବା ଫଳରେ ପ୍ରବଳ ରକ୍ତସ୍ରାବ ଏବଂ ଛାତିର  କିଛି ଅଂଶ, ଜଙ୍ଘ ଏବଂ ବେକରେ ଏକାଧିକ ସ୍ଥାନ ଜୋରରେ ଆଘାତ ଲାଗିଥିଲା।

ଜେଜେ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ, ଯେତେବେଳେ ଶରୀରରେ ପ୍ରବଳ ଆଘାତ ଲାଗିଥାଏ, ସେତେବେଳେ ଏପରି ଆଘାତ ଲାଗିଥାଏ। ସାଇରସ୍ ଏବଂ ଜାହାଙ୍ଗୀରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି। ଏହି ଆଘାତ ତୁରନ୍ତ ମୃତ୍ୟୁ ଘଟାଇପାରେ। ଜେଜେ ହସ୍ପିଟାଲର ଅଧିକାରୀ କହିଛନ୍ତି ଯେ ଭିସେରା ନମୁନା ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ପଠାଯିବ। ମଦ୍ୟପାନ ଏବଂ ବିଷର ସୂଚନା ରହିଛି କି ନାହିଁ ଯାଞ୍ଚ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ମର୍ସିଡିଜ୍ ଏସୟୁଭିର ପଛ ସିଟରେ ବସିଥିଲେ ସାଇରସ୍ ଏବଂ ଜାହଙ୍ଗୀର । ରବିବାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟିବାରୁ ମୃତ୍ୟୁ ଘଟିଛି।

ସେଣ୍ଟ୍ରାଲ ମୁମ୍ବାଇର ୱର୍ଲିରେ ହିନ୍ଦୁ ରୀତିନୀତି ଅନୁଯାୟୀ 54 ବର୍ଷିୟ ସାଇରସଙ୍କର ଶବଦାହ କରାଯାଇଥିଲା। ମିସ୍ତ୍ରୀଙ୍କ ମୃତଦେହ ଜେଜେ ହସ୍ପିଟାଲରୁ ଧଳା ଫୁଲରେ ସଜାଯାଇଥିବା ଗାଡିରେ ଆଣି ମଙ୍ଗଳବାର ସକାଳୁ ୱର୍ଲି ଶ୍ମଶାନରେ ରଖାଯାଇଥିଲା ପରେ ତାଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନେ ଅନ୍ତିମ ଦର୍ଶନ କରିଥିଲେ। ଏହି ସମୟରେ ପାର୍ସୀ ସମ୍ପ୍ରଦାୟର ସଦସ୍ୟ, ବ୍ୟବସାୟୀ ଏବଂ ନେତାମାନେ ଶେଷ ରୀତିନୀତିରେ ଯୋଗ ଦେଇଥିଲେ।

Comments are closed.