Latest Odisha News

BREAKING NEWS

ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ସେମାନଙ୍କୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ପ୍ରଦାନ କରୁଥିବା ପ୍ରତିଷ୍ଠିତ ଅନନ୍ୟ ସଙ୍ଗଠନ ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକୀ ନାଗେଶ୍ୱର ଟାଙ୍ଗୀ ସ୍ଥିତ କାର୍ଯ୍ୟକଳାପ କେନ୍ଦ୍ରରେ ଅତି ଉତ୍ସାହ ଏବଂ ଆଡ଼ମ୍ବର ସହ ପାଳିତ ହୋଇଯାଇଛି ।

ଏହି ଅବସରରେ, ପ୍ରିଲ୍ୟୁଡର ପ୍ରତିଷ୍ଠାତା ତଥା ମାଇଁ ସିଟି ଲିଙ୍କସ୍ ସମ୍ପାଦକ ସତ୍ୟବ୍ରତ ସାନୁ ରଥ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ ଓଡ଼ିଆ ଅଭିନେତା ତଥା ଓଏଫଡିସିର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ, ସମାଜସେବୀ ପ୍ରୀତି ଧଳ, ସମାଜସେବୀ  ସଂଯୋଗିତା ମିଶ୍ର (ଶିକ୍ଷା ଏବଂ କ୍ୟାରିୟର ପରାମର୍ଶଦାତ୍ରୀ, ଜୀବନ ଦକ୍ଷତା କାର୍ଯ୍ୟକ୍ରମ), ଉପସ୍ଥାପିକା ସୁଲଗ୍ନା ରାଉତରାୟ, ବିଏମସି ଓ୍ୱାର୍ଡ ନମ୍ବର ୫୫ର କର୍ପୋରେଟର ନୃପେଶ ନାୟକ ଏବଂ ତିତିଲିର ପ୍ରତିଷ୍ଠାତ୍ରୀ ଅର୍ପିତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ସାମ୍ବାଦିକ ତଥା ଉପସ୍ଥାପକ ଶୁଭୋଜିତ ପଣ୍ଡା ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରୀ ରଥ କହିଥିଲେ, “ବାସ୍ତବରେ ତିତିଲି, ମହିଳା ଏବଂ ଶିଶୁମାନଙ୍କୁ ଶ୍ରେଷ୍ଠ ସୁଯୋଗ ଅନ୍ୱେଷଣ ନିମନ୍ତେ ଡେଣା ପ୍ରଦାନ କରୁଛି । ଏହା କେବଳ ଏକ ସଙ୍ଗଠନ ନୁହେଁ, ବରଂ ଏକ ଭାବନା, ଯାହା ଆମ ସମାଜର ମହିଳା ଏବଂ ଶିଶୁମାନଙ୍କର ବିକାଶ ପାଇଁ ସଦା କାର୍ଯ୍ୟରତ ।

ପରିବର୍ତ୍ତିତ ଆଧୁନିକ ସମାଜର ଆବଶ୍ୟକତାକୁ ଅନୁଭବ କରି ସମାଜର ସବୁ ଠାରୁ ଅଧିକ ଅବହେଳିତ ମହିଳା ଏବଂ ଶିଶୁ ଗୋଷ୍ଠୀକୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ଯୋଗାଇ ଦେଇ ସେମାନଙ୍କ ବିକାଶର ମୂଳଦୁଆ ସ୍ଥାପନ କରିବା ନିମନ୍ତେ ଏହି ଫାଉଣ୍ଡେସନ୍ ସଦା ସର୍ବଦା ପ୍ରତିଶୃତିବଦ୍ଧ।

ଏହାର ପଂଚମ ବାର୍ଷିକୀ ପାଳନ ଅବସରରେ ଏହାର ଦୀର୍ଘସ୍ଥାୟୀ ସଫଳତା କାମନା କରୁଛି ” ବୋଲି ଶ୍ରୀ ତ୍ରିପାଠୀ ନିଜର ଅଭିଭାଷଣରେ କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ଯେପରି ପ୍ରଜାପତିର ଉଡ଼ାଣରେ କୌଣସି ସୀମା ନିର୍ଦ୍ଧାରିତ ହୋଇନଥାଏ, ସେହିପରି ତିତିଲି ଫାଉଣ୍ଡେସନ୍ ଏହାର ପ୍ରଗତିଶୀଳ ଯାତ୍ରାର ଏକ ଅଂଶସ୍ୱରୂପ ନୂତନତାକୁ ଅନ୍ୱେଷଣ କରିବା ନିମନ୍ତେ ଡ଼େଣା ପ୍ରଦାନ କରିବାର ଲକ୍ଷ୍ୟ ରଖି ଆଗେଇ ଚାଲିଛି । ଏହା ବାସ୍ତବରେ ଏକ ଅନନ୍ୟ ଭିତ୍ତିଭୂମି, ଯାହା ପାଂଚ ବର୍ଷ ହେବ ମହିଳା ଏବଂ ଶିଶୁମାନଙ୍କର ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛି ।

ସଭାକୁ ସମ୍ବୋଧନ କରିବା ଅବସରରେ ଶ୍ରୀମତୀ ନନ୍ଦ କହିଥିଲେ, “ପାଂଚ ବର୍ଷ ପୂର୍ବେ ତିତିଲି ଫାଉଣ୍ଡେସନ୍ର ପ୍ରତିଷ୍ଠା ମାଧ୍ୟମରେ ଆକେ ସମାଜର ସବୁଠାରୁ ଅବହେଳିତ ଗୋଷ୍ଠୀ (ମହିଳା ଏବଂ ଶିଶୁ)ମାନଙ୍କୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ଯୋଗାଇଦେବା ପାଇଁ ଏକ ନିଆରା ଧାରଣାର ପରିକଳ୍ପନା କରିଥିଲୁ ।

ଦୀର୍ଘ ପାଂଚ ବର୍ଷ ଧରି ସମାଜକୁ ଏକ ଅନ୍ତର୍ଭୂକ୍ତୀକରଣ ସମାଜରେ ରୂପାନ୍ତରିତ କରିବା ନିମନ୍ତେ ଆମେ ମହିଳା ଏବଂ ଶିଶୁ ବିକାଶ ଦିଗରେ କାର୍ଯ୍ୟ କରିଆସୁଛୁ । ଆମ ପାଇଁ ଆଗାମୀ ଦିନର ରାସ୍ତା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଏବଂ ଆମେ ଆମର ଉତ୍ସର୍ଗୀକୃତତା ଦ୍ୱାରା ସମସ୍ତ ବାଧାବିଘ୍ନକୁ ଏଡ଼ାଇବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଆମର ବିକାଶ କାର୍ଯ୍ୟ ଅସୀମ । ଏହି ଶୁଭ ଅବସରରେ, ଆମ ସଙ୍ଗଠନକୁ ଏକ ଭବିଷ୍ୟତ ପ୍ରସ୍ତୁତ ସଙ୍ଗଠନ ଭାବରେ ପରିଗଣିତ କରିବାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୋର ଗଭୀର କୃତଜ୍ଞତା ଏବଂ ଆନ୍ତରିକ ଧନ୍ୟବାଦ ।”

ପଂଚମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଅବସରକୁ ସ୍ମରଣୀୟ କରିବା ନିମନ୍ତେ ତିତିଲି ଫାଉଣ୍ଡେସନର କାର୍ଯ୍ୟକଳାପ କେନ୍ଦ୍ରରେ ଶିକ୍ଷାରତ ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତିତିଲି ଫାଉଣ୍ଡେସନ୍ ହେଉଛି ଏକ ସଙ୍ଗଠନ, ଯାହା ଜୀବନ ଦକ୍ଷତା କାର୍ଯ୍ୟକଳାପ ମାଧ୍ୟମରେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥାଏ ।

ଏହା ବିଗତ ପାଂଚ ବର୍ଷ ଧରି ରାଜ୍ୟ ରାଜଧାନୀରେ ଏକ କାର୍ଯ୍ୟକଳାପ କେନ୍ଦ୍ରର ପରିଚାଳନା କରିଆସୁଛି । କାର୍ଯ୍ୟକଳାପ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ମହିଳାମାନଙ୍କ ପାଇଁ ଏରୋବିକ୍ସ୍ ଓ ଜୁମ୍ବା, ମାଆମାନଙ୍କ ପାଇଁ ନୃତ୍ୟ କ୍ଲାସ୍, ଶିଶୁମାନଙ୍କ ପାଇଁ ନୃତ୍ୟ କ୍ଲାସ୍, ସଙ୍ଗୀତ ସାଧନରେ ବ୍ୟବହୃତ ଯନ୍ତ୍ରପାତି ଶିକ୍ଷଣ କ୍ଲାସ୍, ଶିଶୁମାନଙ୍କ ପାଇଁ କଳା ଏବଂ ହସ୍ତଶିଳ୍ପ କ୍ଲାସ୍, ମହିଳା ଏବଂ ଶିଶୁମାନଙ୍କ ନିମନ୍ତେ କରାଟେ କ୍ଲାସ୍ ଭଳି ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.