Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି: ୨୪ ଘଣ୍ଟାରେ ଝାରସୁଗୁଡାର କିର୍ମିରାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ଭୀଷଣ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଛି। ଝାରସୁଗୁଡା ଜିଲ୍ଲାର ଲଇକେରାରେ ୧୮୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭଦ୍ରକରେ ୧୬୬ ଓ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୧୬୦ ମିମି ବର୍ଷା ହୋଇଛି।

ସେହିପରି ଭଦ୍ରକ ଜିଲ୍ଲା ଧାମନଗରରେ ୧୫୦ ମିମି ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଛି। ସେହିପରି ୧୧ଟି ସ୍ଥାନରେ ଅତି ପ୍ରବଳ ଓ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୧୫ଟି ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ମିମିରୁ ଉର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୩.୫ ମିମି ତୁଳନାରେ ୧୦୩% ଅଧିକ ରହିଛି। ସେହିପରି ରାଜ୍ୟରେ ଜୁଲାଇ ୧ ତାରିଖରୁ ୧୬ ତାରିଖ ମଧ୍ୟରେ ଅର୍ଥାତ୍ ମାସିକ ହାରାହାରି ୩୩୯.୯ ମିଲିମିଟର ତୁଳନାରେ ୧୨୯.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୂଚନା ଥାଉକି, ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।

Comments are closed.